ପୁଣି ଦରବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲା ବିଶ୍ବ ବ୍ୟାଙ୍କ, ୬.୩% ରହିପାରେ ଭାରତର ଜିଡିପି
3/10/2023 at 6:35 PM

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୬.୩ ପ୍ରତିଶତ ରହିପାରେ। ମଙ୍ଗଳବାର ବିଶ୍ବ ବ୍ୟାଙ୍କ ଏଭଳି ଅନୁମାନ ଜାରି କରିଛି। ‘ଇଣ୍ଡିଆ ଡେଭଲପମେଣ୍ଟ ଆଉଟଲୁକ୍’ରେ ବିଶ୍ବ ବ୍ୟାଙ୍କ କହିଛି ଦେଶରେ ବଢ଼ୁଥିବା ନିବେଶ ଯୋଗୁଁ ବିକାଶ ହାର ଏଭଳି ରହିପାରେ। କିନ୍ତୁ ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଦରବୃଦ୍ଧି ହାର ଅନୁମାନରେ ବୃଦ୍ଧି କରିଛି। ବିଶ୍ବ ବ୍ୟାଙ୍କର କହିବା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଦରବୃଦ୍ଧି ୫.୯ ପ୍ରତିଶତ ରହିପାରେ। ଯେତେବେଳେକି ପୂର୍ବରୁ ବିଶ୍ବ ବ୍ୟାଙ୍କ୍ ଚଳିତ ଆର୍ଥିକ ବର୍ଷ ପାଇଁ ଦରବୃଦ୍ଦି ହାର ୫.୨ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା। ଯାହା ଆରବିଆଇର ୬ ପ୍ରତିଶତ ସୀମା ନିକଟବର୍ତ୍ତୀ।
ବିଶ୍ବ ବ୍ୟାଙ୍କ୍ କହିଛି ଯେ, ମୌସୁମୀ ସମୟରେ ୨୦୨୩ ଜୁଲାଇରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବଢ଼ିଥିଲା। ଅବଶ୍ୟ ଅଗଷ୍ଟରେ ଏହା କମିଛି କିନ୍ତୁ ଏହାର ପ୍ରଭାବ ଆର୍ଥିକ ବର୍ଷର ଅନ୍ୟ ସମୟରେ ଦେଖିବାକୁ ମିଳିପାରେ। ବିଶ୍ବରେ କଞ୍ଚାତେଲର ବଢ଼ୁଥିବା ଦାମ୍ ଉପରେ ମଧ୍ୟ ଚିନ୍ତା ଜାହିର କରିଛନ୍ତି ବିଶ୍ବବ୍ୟାଙ୍କ । ବିଶ୍ବବ୍ୟାଙ୍କର କହିବା ଅନୁଯାୟୀ ୨୦୨୨ରେ ଉଚ୍ଚ ସ୍ତର ତୁଳନାରେ ଚଳିତ ବର୍ଷରେ କଞ୍ଚାତେଲର ଦାମ୍ କମ୍ ରହିଛି କିନ୍ତୁ ନିକଟରେ ବଢ଼ିଥିବା ଦରବୃଦ୍ଧି ଯୋଗୁଁ ଅସୁବିଧା ବଢ଼ିପାରେ। ଆହୁରି ମଧ୍ୟ ଅଗଷ୍ଟରେ ଖୁଚୁରା ଦରବୃଦ୍ଧି ୬.୮ ପ୍ରତିଶତ ରହିଛି ଯାହା ଜୁଲାଇ ୭.୪ ପ୍ରତିଶତରୁ କମ୍ ରହିଛି ଏବଂ ସେପ୍ଟେମ୍ବର ଏହାର ଆହୁରି କମ୍ ହେବାର ଅନୁମାନ ରହିଛି।
ଆହୁରି ପଢ଼ନ୍ତୁ: ୨୦୨୪ରେ ୧୦୭ ଡଲାର ପ୍ରତି ବ୍ୟାରେଲ ହୋଇପାରେ କଞ୍ଚାତେଲ, ଗୋଲ୍ଡମ୍ୟାନ୍ ସ୍ୟାକ୍ସର ଭବିଷ୍ୟବାଣୀ, ବଢ଼ିପାରେ ଦରବୃଦ୍ଧି
ବିଶ୍ବ ବ୍ୟାଙ୍କ ଆହୁରି କହିଛି ଯେ, କରୋନା ମହାମାରୀ ପରେ ବ୍ୟକ୍ତିଗତ ବ୍ୟବହାରରେ ଯେଉଁ ବୃଦ୍ଧି ଦେଖାଯାଇଛି ତାହାର ବେଗ କମିପାରେ। ବିଶ୍ବ ବ୍ୟାଙ୍କ୍ ଏହାର ରିପୋର୍ଟରେ କହିଛନ୍ତି ଯେ, ୨୦୨୪ ଲୋକସଭାରେ ନିର୍ବାଚନ ପୂର୍ବରୁ ସରକାର ଘୋଷଣା ଏବଂ ସବସିଡି କାର୍ଯ୍ୟକ୍ରମର ପ୍ରଭାବ ରାଜସ୍ବ ରୋଡମ୍ୟାପ୍ ଉପରେ ପଡ଼ିବାର ଆଶଙ୍କା କରିଛି। ଅଗଷ୍ଟରେ ସରକାର ୨୦୦୦ ଟଙ୍କାର ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରରେ ଛାଡ଼ ଘୋଷଣା କରିଛନ୍ତି।