‘ହିନ୍ଦୁ ଭଗବାନଙ୍କୁ ପୂଜା କର ନାହିଁ’: ଶପଥ ପାଠ ସମାରୋହରେ ସାମିଲ ହେଲେ ଆପ୍ ମନ୍ତ୍ରୀ, ବିଜେପିର ଟାର୍ଗେଟ

Published By : Prameya-News7 Bureau | October 07, 2022 IST

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରର ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି । ସରକାରରେ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଏବେ ବିବାଦକୁ ଆସିଛନ୍ତି । ମନ୍ତ୍ରୀଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କୁ ରାମ ଏବଂ କୃଷ୍ଣଙ୍କୁ ଭଗବାନ ନମାନିବା ଏବଂ କେବେ ପୂଜା ନକରିବା ନେଇ ଶପଥ ପାଠ କରାଯିବାର ଭିଡିଓ ସାମନାକୁ ଆସିବା ପରେ ବିଜେପି ଜୋରଦାର ଟାର୍ଗେଟ କରିଛି । ବୌଦ୍ଧ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ମଧ୍ୟରେ ବିବେଧ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବିଜେପି କହିଛି । ରାଜେନ୍ଦ୍ର ପାଳ ଗୌତମଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ନେଇ ଘୋଷଣା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦାବି କରିଛି । ସୂତ୍ର ଅନୁସାରେ, ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜେନ୍ଦ୍ର ଗୌତମଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି, 'କେଜ୍ରିୱାଲଙ୍କ ମନ୍ତ୍ରୀ ରାଜେନ୍ଦ୍ର ଗୌତମ ଯେଉଁପରି ଭାବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଛନ୍ତି ତାହା ନିନ୍ଦନୀୟ ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର । ଘୃଣା ସୃଷ୍ଟି କରିବା ଏବଂ ହିନ୍ଦୁ ଧର୍ମର ଅପମାନ କରିବା ଆମ ଆଦମୀ ପାର୍ଟିର ଇତିହାସ ରହିଛି'। ଅନ୍ୟପଟେ ଦିଲ୍ଲୀରୁ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, 'ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ବିଶ୍ୱାସ ରଖୁଥିବା ଲୋକଙ୍କ ମଧ୍ୟରେ ଲଢେଇ କରାଇବାକୁ ପ୍ରୟାସ କରାଯାଉଛି'। ଏହାସହ ଯଦି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ମନ୍ତ୍ରୀଙ୍କ କଥାରେ ସହମତି ନୁହନ୍ତି ତେବେ ୨୪ ଘଣ୍ଟାରେ ତାଙ୍କୁ ନିଲମ୍ୱିତ କରନ୍ତୁ ବୋଲି ବିଜେପି ସାଂସଦ ଦାବି କରିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ବିଜୟାଦଶମୀରେ ଦିଲ୍ଲୀର କରୋଲବାଗ ସ୍ଥିତ ଆମ୍ୱେଦକର ଭବନରେ ଅନେକ ଲୋକ ବୌଦ୍ଧ ଦିକ୍ଷା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଦିଲ୍ଲୀ ସରକାର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଉପସ୍ଥିତି ଥିଲେ। ତାଙ୍କ ଉପସ୍ଥିତିରେ ଲୋକଙ୍କୁ ଶପଥ ପାଠ କରାଯାଇଥିଲା ଯେ,‘ଆମେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ରାମ, କୃଷ୍ଣ, ଗୌରୀ-ଗଣପତିଙ୍କୁ ଭଗବାନ ମାନିବୁ ନାହିଁ ଏବଂ କେବେ ତାଙ୍କୁ ପୂଜା କରିବୁ ନାହିଁ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.