ମହିଳା ସଂରକ୍ଷଣ ବିଲ୍କୁ କ୍ୟାବିନେଟ୍ ମୋହର! ବିଲ୍ ଆଗତ ପାଇଁ ଏକାଧିକ ଦଳ କରୁଥିଲା ଦାବି
18/09/2023 at 10:29 PM

ନୂଆଦିଲ୍ଲୀ: ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଚାଲିଥିବା ବେଳେ ଆଜି(ସେପ୍ଟେମ୍ବର ୧୮) କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମହିଳା ସଂରକ୍ଷଣ ବିଲ୍କୁ କ୍ୟାବିନେଟ୍ ମୋହର ମାରିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଆଜି ସନ୍ଧ୍ୟା ୬.୩୦ ମିନିଟ୍ରେ କ୍ୟାବିନେଟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବରୁ ଏକାଧିକ ରାଜନୈତିକ ଦଳ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନା କରିବାକୁ ନେଇ ଦାବି କରୁଥିବା ବେଳେ କ୍ୟାବିନେଟ୍ ମୋହର ମାରିଥିବା କୁହାଯାଉଛି। ତେବେ ଏନେଇ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ।
ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ସଂସଦକୁ ପୁରୁଣା ସ୍ମୃତି ବଖାଣିଥିଲେ। ପୁରୁଣା ସଂସଦରେ କେତେ କେତେ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି ସେ ବିଷୟରେ ସୂଚନା ଦେଇଥିଲେ। ମୋଦୀ।
ଏହାପରେ ଆଜି(ସେପ୍ଟେମ୍ବର ୧୮) ସନ୍ଧ୍ୟା ୬.୩୦ରେ କ୍ୟାବିନେଟ୍ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏଥିରେ ମହିଳା ସଂରକ୍ଷଣ ବିଲ୍ ବିଷୟରେ ଆଲୋଚନା ହୋଇଥିଲା। ବିଲ୍ ସ୍ୱତନ୍ତ୍ର ଅଧିବେଶନରେ ଆଣିବାକୁ କ୍ୟାବିନେଟ୍ ମୋହର ମାରିଥିବା ଜଣାପଡ଼ିଛି।
ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଥିଲେ କେନ୍ଦ୍ର ସରକାର। ବୈଠକରେ ଏକାଧିକ ବିରୋଧୀ ଦଳର ନେତା ଯୋଗ ଦେଇ ନିଜ ନିଜ ଦାବି ରଖିଥିଲେ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହଙ୍ଗା ବଜାର, ବେରୋଜଗାରୀ ଆଦି ବିଷୟରେ ଆଲୋଚନା କରିବାକୁ ଦାବି ହୋଇଥିଲା। ଏଥିସହିତ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଏକାଧିକ ଦଳ ଦାବି କରିଥିଲେ। କଂଗ୍ରେସ ମଧ୍ୟ ସହମତି ପ୍ରକାଶ କରିଥିଲା। ଯଦି ଏହି ବିଲ୍ ଆଗତ ହୁଏ ତେବେ ଏହା ସର୍ବସମ୍ମତି କ୍ରମେ ପାସ୍ ହେବାର ସମ୍ଭାବନା ଅଧିକ ରହିଛି। ବିଲ୍ରେ ଉଭୟ ଲୋକସଭା ଓ ବିଧାନସବାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ରହିବ।
ଅନ୍ୟପଟେ କଂଗ୍ରେସ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ କରିଛି। ତାଙ୍କ ଦଳ ବହୁଦିନ ପୂର୍ବରୁ ଏହି ଦାବି କରି ଆସୁଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହି ଦାବି କରିଛନ୍ତି।
ସୂଚନା ଥାଉକି, ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସ୍ୱତନ୍ତ୍ର ଏହି ୫ ଦିନିଆ ଅଧିବେଶନରେ ୮ଟି ବିଲ୍ ବିଷୟରେ ଆଲୋଚନା ହେବ ବୋଲି ସୂଚନା ଦେଇଥିଲେ। ଏଥିରେ ଅଡଭୋକେଟ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩, ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ପିରିଓଡିକାଲ ବିଲ ୨୦୨୩, ପୋଷ୍ଟ ଅଫିସ ବିଲ୍ ୨୦୨୩, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର(ନିଯୁକ୍ତ, ସେବା ସର୍ତ୍ତ ଓ କାର୍ଯ୍ୟକାଳ ଓ କାର୍ଯ୍ୟାଳୟ) ବିଲ ୨୦୨୩ ଗୃହରେ ଆଲୋଚନା ହୋଇପାରେ।
ଏଥିସହିତ ବରିଷ୍ଠ ନାଗରିକଙ୍କୁ ସମ୍ପର୍କିତ ଏକ ବିଲ୍ ଏବଂ ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କରେ ୩ଟି ବିଲ୍ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ। ଏଥିରେ ସରକାର କିଛି ଆଶ୍ଚର୍ଯ୍ୟକଲା ଭଳି ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି।