ମହିଳାଙ୍କୁ ପିଟାମରା କରିବା ବିଜେପି ନେତାଙ୍କୁ ମହଙ୍ଗା ପଡ଼ିଲା: ତଦନ୍ତ ସହ ଗିରଫ ନିର୍ଦ୍ଦେଶ ଦେଲା ମହିଳା କମିଶନ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ଅସୌଜନ୍ୟ ଭାଷା ସହ ମହିଳାଙ୍କୁ ପିଟାମରା କରିବା ବିଜେପି ନେତାଙ୍କୁ ମହଙ୍ଗାପଡ଼ିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ଡିଜିପିଙ୍କୁ ଛିଠି ଲେଖିଛି ଜାତୀୟ ମହିଳା କମିଶନ ବା NCW ।

ନୋଏଡ଼ା ହାଉସିଂ ସୋସାଇଟିରେ ବିଜେପି ନେତା ଜଣେ ମହିଳାଙ୍କ ସହ ଅସୌଜନ୍ୟ ବ୍ୟବହାର କରିଥିଲେ। ଏନେଇ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣା ପରେ NCW ଅଧ୍ୟକ୍ଷା ରେଖା ଶର୍ମା ୟୁପି ଡିଜିପିଙ୍କୁ ଚିଠି ଲେଖି ଏହାର ତୁରନ୍ତ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଦ ଉକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କର ଗିରଫ ଦାବି କରିଛନ୍ତି।

ସୂଚନା ଥାଉକି ନିଜକୁ ବିଜେପି ନେତା କହୁଥିବା ଶ୍ରୀକାନ୍ତ ତ୍ୟାଗୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହେବା ପରେ ଗତ ଶୁକ୍ରବାର(ଅଗଷ୍ଟ ୫) ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ ନୋଏଡ଼ା ସେକ୍ଟର-୯୩ ବିରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ତ୍ୟାଗୀଙ୍କ ଗଛଲଗାକୁ ମହିଳା ଜଣଙ୍କ ବିରୋଧ କରିବାରୁ ସେ ଉତ୍ତେଜିତ ହୋଇ ତାଙ୍କୁ ମରାଧରା ବି କରିବା ସହ ଖରାପ ଭାଷାର ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୁଲିସ ତ୍ୟାଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି।।

ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ଆଇପିସି ଧାରା ୩୫୪ ଲଗାଯାଇଛି ବୋଲି ଅତିରିକ୍ତ ପୁଲିସ କମିଶନର ଅଙ୍କିତ ଶର୍ମା ସୂଚନା ଦେଇଛନ୍ତି। ତେବେ ମାମଲାର ତଦନ୍ତ ହେଲା ପରେ ଏହି ଚାର୍ଜ ଲଗାଯିବ ବୋଲି ସେ କହିଛନ୍ତି।

ଅଭିଯୋଗ ଅନୁସାରେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ ସୋସାଇଟି ପାର୍କକୁ ବେଆଇନ୍ ଭାବେ ମାଡ଼ି ବସିଥିଲେ। ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା। ଏଥିପାଇଁ ତାଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା। କିନ୍ତୁ ଶ୍ରୀକାନ୍ତ କବ୍ଜା ନ ହଟାଇ ପାୱାରର ଦୁରୁପଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.