ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ଦ୍ୱିତୀୟ ସେମିରେ ହାରିଲା ଦକ୍ଷିଣ ଆଫ୍ରିକା
5/03/2020 at 5:58 PM

ସିଡନୀ ୦୫। ୦୩ : ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ୪ଥରର ବିଶ୍ୱ ଚାମ୍ପିଆନ ଅଷ୍ଟ୍ରେଲିଆକୁ ଭାରତ ଭେଟିବ। ଏହି ହାଇଭୋଲଟେଜ୍ ମୁକାବିଲା ଆସନ୍ତା ରବିବାର ରାତି ୮ଟାରେ ମେଲବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ।

ଅଷ୍ଟ୍ରେଲିଆ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଡିଏଲ ନିୟମରେ ୫ ରନରେ ପରାସ୍ତ କରିଛି। ଏହାସହ ଷଷ୍ଠ ଥର ପାଇଁ ଟି୨୦ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି କଙ୍ଗାରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦଳ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୩୪ ରନ କରିଥିଲା।
ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ୧୩ ଓଭରରେ ୯୮ ରନ ଆବଶ୍ୟକ ଥିଲା। କିନ୍ତୁ ଦଳ ୧୩ ଓଭରରେ ୫ ଓ୍ୱିକେଟ ହରାଇ ୯୨ ରନ କରିପାରିଥିଲା। ଫଳରେ ଅଷ୍ଟ୍ରେଲିଆ ଫାଇନାଲରେ ପହଁଚିଥିଲା।

ଏହା ପୂର୍ବରୁ ଭାରତ ଫାଇନାଲରେ ପ୍ରବେଶ କରିସାରିଛି। ଦଳ ଇଂଲଣ୍ଡକୁ ସେମିଫାଇନାଲରେ ଭେଟିଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା। ତେବେ ପଏଁଣ୍ଟ ହିସାବରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା।