ଲୋକାଲ ଟ୍ରେନରେ ସିଟ୍‌କୁ ନେଇ ହଙ୍ଗାମା, ମହିଳା ଯାତ୍ରୀଙ୍କ ମଧ୍ୟରେ ମାଡ ମରାମରି ସହ ଭଙ୍ଗାରୁଜା

Published By : Prameya-News7 Bureau | October 07, 2022 IST

ମୁମ୍ୱାଇ ୭/୧୦: ଲୋକାଲ ଟ୍ରେନରେ ହାତାହାତି ହେଲେ ମହିଳା । ସିଟ୍‌କୁ ପାଇବାକୁ ନେଇ ଦେଖିବାକୁ ମିଳିଥିଲା ବିବାଦ । ପରିସ୍ଥିତି ଏମିତି ହୋଇଥିଲା ଯେ, ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ମହିଳାମାନେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଥାଣେ-ପାନଭେଲ ଲୋକାଲ ଟ୍ରେନର ।

ବାସି ସରକାରୀ ରେଳ ପୋଲିସ (GRP) ର ପୋଲିସ୍ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟ୍ ରେ ବସିବା ନେଇ ତିନିଜଣ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ମାମଲା ଗମ୍ଭୀର ହୋଇଥିଲା ସେତେବେଳେ, ଯେତେବେଳେ ଏହି ଘଟଣାରେ ଅଧିକ ମହିଳା ସାମିଲ ହୋଇଯାଇଥିଲେ ।

ଘଟଣା ପରେ GRP ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ମାମଲା ରୁଜୁ ହୋଇଛି । ଏହି ବିବାଦର ସମାଧାନ ପାଇଁ ନେରୁଲରେ ହସ୍ତକ୍ଷେପ କରିବାକୁ ଆସିଥିବା ଜଣେ ପୋଲିସ କର୍ମଚାରୀଙ୍କୁ ବି ଛାଡି ନଥିଲେ ମହିଳାମାନେ । କିଛି ମହିଳା ଯାତ୍ରୀଙ୍କୁ ପୋଲିସକୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଆହତ ହୋଇଥିଲେ । ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ତିନିଜଣ ମହିଳା ଆହତ ହୋଇଛନ୍ତି । ଭିଡିଓରେ ଦୁଇଜଣ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ଦେଖିବାକୁ ମିଳିଛି ।

ପୋଲିସ କହିବା ଅନୁଯାୟୀ ତୁର୍ବେ ଷ୍ଟେସନରେ ଗୋଟିଏ ସିଟ୍ ଖାଲି ଥିବାବେଳେ ଜଣେ ମହିଳା ଯାତ୍ରୀ ଅନ୍ୟ ଜଣେ ମହିଳାଙ୍କୁ ସିଟ୍ ଦେବାକୁ ଚେଷ୍ଟା କରିଥିଲେ । ତେବେ ଆଉ ଜଣେ ମହିଳା ମଧ୍ୟ ସମାନ ସିଟ୍ ଦଖଲ କରିବାକୁ ଚେଷ୍ଟା କରିଥିଲେ । ଏହି ପ୍ରସଙ୍ଗରେ ତିନିଜଣ ମହିଳାଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଧୀରେ ଧୀରେ ଏହି ଘଟଣାରେ ଆହୁରି ଅଧିକ ମହିଳା ସାମିଲ ହୋଇଥିଲେ । କିଛି ସମୟ ପାଇଁ ଷ୍ଟେସନ ପାଲଟିଥିଲା ରଣକ୍ଷେତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.