କଣ୍ଟାବାଞ୍ଜି ୬/୮: କାଳ ହେଲା ପିଲା କଳି । ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଲୁହା ରଡ୍ରେ ପିଟିପିଟି ମାରିଦେଲେ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । କଣ୍ଟାବାଞ୍ଜି ୬ ନମ୍ବର ୱାର୍ଡ ନୂଆପଡାରେ ଚାଞ୍ଚଲ୍ୟ । ପୁଷ୍ପା ମେହେରଙ୍କ ପୁଅ ଓ ସୁଦାମ ବେହେରାଙ୍କ ପୁଅ ନୂଆପଡା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢନ୍ତି । ସୋମବାର କୌଣସି କାରଣକୁ ନେଇ ୨ ସହପାଠୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏନେଇ ୨ ଛାତ୍ରଙ୍କ ପରିବାର ଲୋକଙ୍କୁ ଆଲୋଚନା ପାଇଁ ଡାକିଥିଲେ ସ୍କୁଲ କର୍ତ୍ତୃପକ୍ଷ ।
ସ୍କୁଲକୁ ଯିବା ପୂର୍ବରୁ ପୁଷ୍ପା ସୁଦାମଙ୍କ ଘରକୁ ଯାଇ କାହିଁକି ଝଗଡା କରୁଛ ବୋଲି ପଚାରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସୁଦାମ ଏକ ଲୁହା ରଡ୍ରେ ପୁଷ୍ପାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୁଷ୍ପାଙ୍କୁ ଆକ୍ରମଣ ପରେ ସୁଦାମ କଣ୍ଟାବାଞ୍ଜି ଥାନାରେ ଆତ୍ମସମର୍ପଣ କରିଛି । ସାମାନ୍ୟ କଥାକୁ ନେଇ ଅକାଳରେ ଗୋଟିଏ ଜୀବନ ଚାଲିଯାଇଛି ।