ବ୍ରହ୍ମପୁର ୨୯/୫: ୨ଲକ୍ଷ ଟଙ୍କା ଯୌତୁକ ଦେଇପାରିଲୁନି ବୋଲି ଝିଅକୁ ଶାଶୁ ଘର ଲୋକେ ମିଳିମିଶି ମାରିଦେଲେ । ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ନିମପୋଲି ଗାଁର କେ.ରଘୁନାଥ । ତାଙ୍କ ଝିଅ କେ.ନମିତା ପାତ୍ର ଗତବର୍ଷ ରମ୍ଭା ଥାନା ବେଣୁଗୌରି ଗାଁର କେ.ସନ୍ତୋଷ ପାତ୍ରଙ୍କୁ ବିବାହ କରିଥିଲେ । ବିବାହର ୨ମାସ ପରେ ୨ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଗାଁରେ ଅନେକ ଥର ବୈଠକ ବସି ଝଗଡାର ସମାଧାନ ହୋଇଥିଲେ ମଧ୍ୟ ଜୀବନ ପ୍ରତି ଭୟ ଥିବାରୁ ବାପଘରେ ରହୁଥିଲେ କେ.ନମିତା ।
ତେବେ ଗତ ୨୭ତାରିଖରେ ଆଉ ନିର୍ଯାତନା ଦେବୁନାହିଁ ବୋଲି ପ୍ରତିଶୃତି ଦେଇ କେ.ନମିତାଙ୍କୁ ଘରକୁ ଫେରାଇ ଆଣିଥିଲେ ଶାଶୁ ଘର ଲୋକ । ଆଉ ୨୮ ତାରିଖରେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରମ୍ଭା ଥାନା ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ହତ୍ୟା ଅଭିଯୋଗ ଆଧାରରେ ସ୍ବାମୀ ସନ୍ତୋଷକୁ ଅଟକ ରଖି ପଚରାଉଚରା କରୁଛି ।