ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମହିଲା ହକି ଟିମ୍‌ରେ ଜଣେ ମାତ୍ର ଓଡିଆ, ଅବହେଳା ନେଇ ଖପ୍ପା ହକିପ୍ରେମୀ

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ ୨୪/୦୬: ଜୁନ୍‌ ୨୧ରେ ମହିଳା ହକି ବିଶ୍ୱକପ୍‌ ପାଇଁ ଦଳ ଘୋଷଣା ହୋଇଛି । ପ୍ରାୟତଃ ସେହି ଦଳ ଆଗାମୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅପରିବର୍ତ୍ତିତ ରହିଛି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ ଏକ୍କା ଦଳରେ ସ୍ଥାନ ପାଇଛନ୍ତି । ଦଳରେ ତାଙ୍କୁ ଉପଅଧିନାୟିକା ଦାୟିତ୍ୱ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ ତାରିଖରୁ ବର୍ମିଂହାମରେ ଆରମ୍ଭ ହେବ । ଗୋଲକିପର ସବିତା ପୂର୍ବଭଳି ଦଳର ନେତୃତ୍ୱ ବଜାୟ ରଖିଛନ୍ତି । ବିଶ୍ୱକପ୍‌ ଦଳରେ ଗୋଲକିପର ସବିତାଙ୍କ ସହ ବିଚୁ ଦେବୀ ସାମିଲ ହୋଇଥିଲେ । କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବିଚୁଙ୍କ ସ୍ଥାନରେ ରଜନୀଙ୍କୁ ସ୍ଥାନ ମିଳିଛି । ଡିଫେଣ୍ଡର, ମିଡ୍‌ଫିଲ୍ଡର ଏବଂ ଫରୱାର୍ଡରେ ମଧ୍ୟ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ ।

ତେବେ ଓଡ଼ିଶା ସରକାର ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ରହିଥିବାବେଳେ ଉଭୟ ପୁରୁଷ ଓ ମହିଳା ସିନିୟର ଦଳରେ ଓଡ଼ିଶାର ପ୍ରତିନିଧିତ୍ୱ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ ଅବା ଅନ୍ୟ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ୍‌ରେ ମହିଳା ଦଳରେ ୪ ଜଣ ଓଡ଼ିଆ- ଲିଳିମା ମିଞ୍ଜ, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଦୀପଗ୍ରେସ ଦଳରେ ସ୍ଥାନ ପାଉଥିଲେ । ସୁନୀତା ଓ ଲିଳିମା ଅବସର ନେଇ ସାରିଛନ୍ତି । ଏବେ ଦୀପ୍‌ଗ୍ରେସ, ନମିତା ଓ ରଶ୍ମିତା ମିଞ୍ଜଙ୍କ ସହ କିଛି ଯୁବ ଖେଳାଳି ଜାତୀୟ ପ୍ରଶିକ୍ଷଣ ଶିବିରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଦୀପଗ୍ରେସଙ୍କୁ ହିଁ ସିନିୟର ଦଳରେ ସୁଯୋଗ ମିଳୁଛି । ବିଶ୍ୱକପ୍‌ ଦଳ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସେ ଏକମାତ୍ର ଓଡ଼ିଆ ଭାବେ ସୁଯୋଗ ପାଇଛନ୍ତି। ଯାହାକୁ ନେଇ ଓଡ଼ିଶା ହକିପ୍ରେମୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ଯାହା ଆଶା କରାଯାଉଛି, ଆଉ କିଛି ବର୍ଷ ମଧ୍ୟରେ ଜାତୀୟ ସିନିୟର ପୁରୁଷ କିମ୍ବା ମହିଳା ଦଳରେ ଜଣେ ବି ଓଡ଼ିଆ ଖେଳାଳି ନଥିବେ ।

ଭାରତୀୟ ଦଳରେ ସାମିଲ ଥିବା ଖେଳାଳିମାନେ ହେଲେ :- ଗୋଲକିପର-ସବିତା (ଅଧିନାୟିକା), ରଜନୀ । ଡିଫେଣ୍ଡର- ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା । ମିଡଫିଲ୍ଡର- ନିଶା, ସୁଶୀଳା ଚାନୁ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସଲିମା ଟେଟେ । ଫରୱାର୍ଡ- ବନ୍ଦନା କାଟାରିଆ, ଲାଲରେମସିଆମି, ନଭନିତ କୌର, ଶର୍ମିଳା ଦେବୀ, ସଙ୍ଗୀତା କୁମାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.