ଭାରତର ମହିଳା କ୍ରିକେଟରଙ୍କ ରେକର୍ଡ -ମାତ୍ର ୧୨ରନ୍ ଦେଇ ନେଲେ ୧୦ ଓ୍ୱିକେଟ
26/02/2020 at 3:26 PM

ନୂଆଦିଲ୍ଲୀ ୨୬।୦୨: ଚଣ୍ଡୀଗଡର ମହିଳା କ୍ରିକେଟର ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ବିଶ୍ବ କ୍ରିକେଟ ଇତିହାସରେ ଅଳ୍ପ ପ୍ରସିଦ୍ଧ ଖେଳାଳି ଏହି ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ଭାରତ ପକ୍ଷରୁ ଅନୀଲ କୁମ୍ବଲେ କେବଳ ଏହି ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି । ତେବେ ରେକର୍ଡ କରିଥିବା ମହିଳା କ୍ରିକେଟର ଜଣଙ୍କ ହେଉଛନ୍ତି କାଶଭି ଗୌତମ୍ । ଏବଂ ସେ ଚଣ୍ଡୀଗଡର ବୋଲି ଜଣାପଡିଛି । ଗୋଟିଏ ମ୍ୟାଚ୍ରେ ୧୦ଓ୍ବିକେଟ ନେଇ ଚର୍ଚ୍ଚାକୁ ଆସିଛନ୍ତି କାଶଭି ଗୌତମ୍ ।
ବିସିସିଆଇ ପକ୍ଷରୁ ଆୟୋଜିତ ୧୯ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଚଣ୍ଡୀଗଡ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ଧ୍ର ପ୍ରଦେଶର କେଏସଆରଏମ୍ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ତେବେ ମ୍ୟାଚ୍ରେ କାଶଭି ଚମତ୍କାର ବୋଲିଂ କରିଛନ୍ତି । ମ୍ୟାଚ୍ରେ କାଶଭି ୪.୫ ଓଭର ବୋଲିଂ କରି ୧ମେଡେନ ଓଭର ସହ ୧୨ ରନ୍ ପ୍ରଦାନ କରି ବିପକ୍ଷ ଟିମ୍ର ସମସ୍ତ ୧୦ଟି ଯାକ ୱିକେଟ୍ ଅକ୍ତିଆର କରିଥିଲେ । ତେବେ କାଶଭି ନେଇଥିବା ଓ୍ବିକେଟ୍ ମଧ୍ୟରେ ଗୋଟିଏ ହ୍ୟାଟ୍ରିକ୍ ମଧ୍ୟ ସାମିଲ ରହିଛି।

ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡୀଗଡ଼ ନିର୍ଦ୍ଧାରିତ ୫୦ ଓଭରରେ ଖେଳି ୪ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ କାଶଭି ୪୯, ମେହୁଲ ୪୧ ଓ ସିମରନ ୪୨ ରନ୍ କରିଥିଲେ । ଜବାବରେ ଅରୁଣାଚଳ ପ୍ରଦେଶ ୮.୫ ଓଭରରେ ୨୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ମିଡିୟମ ପେସ୍ ବୋଲର କାଶଭି ସମସ୍ତ ୱିକେଟ୍ ନେଇଥିଲେ । ପୂର୍ବରୁ ମଧ୍ୟ କାଶଭି ନିଜ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିଲେ । ସେ ବିହାର ବିପକ୍ଷରେ ୧୦ ଓଭର ବୋଲିଂ କରି ମାତ୍ର ୬ ରନ୍ ପ୍ରଦାନ କରିବା ସହ ଗୋଟିଏ ୱିକେଟ୍ ନେଇଥିଲେ । ସେହିପରି ଜମ୍ମୁ ଓ କାଶ୍ମୀର ବିପକ୍ଷରେ ସେ ୭ଟି ୱିକେଟ୍ ଅକ୍ତିଆର କରିଥିଲେ ।