ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଧୋକା ଦେଲେ ଯୁବକ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇ ମହିଳା ହାରାସ୍

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର ୧|୬: ମାକୁ ସମ୍ମାନ ଗାଁକୁ କାମ ଏ ସ୍ଲୋଗାନ ରାଜ୍ୟ ସରକାରଙ୍କର । ହେଲେ ରାଜଧାନୀ ପୋଲିସ ଦ୍ବାରା କିଭଳି ଜଣେ ମହିଳା ନ୍ୟାୟ ପାଇବା ପାଇଁ ଥାନାକୁ ଦଉଡି ଦଉଡି ହାରାସ ହୋଇଛନ୍ତି ତାହା ସାମ୍ନାକୁ ଆସିଛି । ଶେଷରେ ମହିଳା ଜଣଙ୍କ ନ୍ୟାୟ ପାଇଁ କୋର୍ଟରୁ ଆଦେଶ ଆଣିବା ପରେ ତାଙ୍କର ଏଫଆଇଆର ଗ୍ରହଣ କରିଛି ଇନଫୋସିଟି ପୋଲିସ ।

ନ୍ୟାୟ ପାଇବାକୁ ଇନଫୋସିଟି ଥାନାରେ କିଭଳି ଜଣେ ମହିଳା ଥାନା ଅଧିକାରୀଙ୍କ ପାଖରେନେହୁରା ହେଉଛନ୍ତି ତାହା ଦେଖିବାକୁ ମିଳିଛି  । ଆଉ ଥାନା ଅଧିକାରୀ ତାଙ୍କୁ ୩ ଘଣ୍ଟା ବସାଇବା ପରେ ଏହା ତାଙ୍କ ଯୁରିଡିକେସନ ଭିତରେ ଆସୁନାହିଁ ବୋଲି ମନା କରିଦେଇଛନ୍ତି । ଏ ହେଉଛି ଆମ କମିସନରେଟ୍ ପୋଲିସ । ଯିଏ ମହିଳାଙ୍କୁ ନ୍ୟାୟ ଦେବା କହି ଡିଣ୍ଡିମ ପିଟୁଛି  । ଭୁବନେଶ୍ବର ଇନଫୋସିଟି ଥାନା ଅଧିନରେ ରହୁଥିବା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିଲେ ଅନୁଗୁଳର ଏକ କମ୍ପାନୀରେ  କାର୍ଯ୍ୟରତ ସଞ୍ଜୟ ବନସଲ ନାମକ ଯୁବକ। ସଞ୍ଜୟ ମଧ୍ୟ ନିଜ ପତ୍ନୀଙ୍କୁ ପୂର୍ବରୁ ଛାଡପତ୍ର ଦେଇଛନ୍ତି । ପୀଡିତାଙ୍କ ଅଭିଯୋଗ ଅନୁଯାଇ ସଞ୍ଜୟ କେବଳ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଇଜସ ସହିତ ଖେଳି ନଥିଲେ ପୀଡିତାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଯାହାର ପ୍ରମାଣ ମଧ୍ୟ ପୀଡିତାଙ୍କ ପାଖରେ ରହିଛି । ବିବାହର ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିବା ପିଡିତା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୀଡିତା କମିସନରଙ୍କଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ  ନ୍ୟାୟ ପାଇବାକୁ ଯାଇଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ବାଧ୍ୟ ହୋଇ ପୀଡିତା କୋର୍ଟର ଆଶ୍ରୟ ନେବାପରେ ପୋଲିସ ତାଙ୍କର ଏତଲା ଗ୍ରହଣ କରିଛି ।ସେପଟେ କମିସନରେଟ୍ ପୋଲିସର କହିବା କଥା ତଦନ୍ତ ଚାଲିଛି, ପ୍ରମାଣ ମିଳିଲେ ଅଭିଯୁକ୍ତକୁ ଗିରଫ କରାଯିବ ।

ଗତ ଜୁନ୍ ମାସରୁ ନ୍ୟାୟ ପାଇବାକୁ ପୀଡିତା ମହିଳା ଜଣକ ଥାନାକୁ ଦୌଡୁଥିଲେ ମଧ୍ୟ ତାଙ୍କର ଏତଲାକୁ କାହିଁକି ଗ୍ରହଣ କରିବାରେ ଟାଳଟୁଳ ନୀତି ଦେଖାଉଥିଲା ପୋଲିସ । ଏବେ କୋର୍ଟର ନିର୍ଦ୍ଦେଶ ରହିଥିଲେ ମଧ୍ୟ ପୋଲିସ କାହିଁକି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.