ଗାଁରେ ପାନୀୟ ଜଳ ସମସ୍ୟା, ସମାଧାନ ଦାବିରେ ଶତାଧିକ ମହିଳାଙ୍କ ରାସ୍ତା ଅବରୋଧ
29/05/2023 at 12:28 PM

ରାୟଗଡ଼ା ୨୯।୫: ପିଇବା ପାଣି ଯୋଗାଣ ଦାବିରେ ରାସ୍ତାରୋକ । ତୁରନ୍ତ ପାନୀୟ ଜଳ ସମସ୍ୟା ସମାଧାନ ଦାବି କରି ଶତାଧିକ ମହିଳାଙ୍କ ଦ୍ବାରା ରାସ୍ତା ଅବରୋଧ ହୋଇଛି । ରାୟଗଡ଼ା-କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଅଙ୍ଗୁର ଗ୍ରାମ ମହିଳା । ରାସ୍ତା ଅବରୋଧ ଫଳରେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଛି ।
ସୂଚନାଯୋଗ୍ୟ ଯେ, ଅଙ୍ଗୁର ଗ୍ରାମରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗିରହିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ । ଏହାର ପ୍ରତିବାଦରେ ସୋମବାର ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇ ନିଜର ପ୍ରତିବାଦ ଜଣାଇଛନ୍ତି । ଅଙ୍ଗୁର ଗ୍ରାମରେ ପ୍ରାୟ ୭୦ପରିବାର ରହୁଛନ୍ତି । ହେଲେ ମାତ୍ର ଦୁଇଗୋଟି ନଳକୂପ ରହିଛି । ତାହା ମଧ୍ୟ ଅନେକ ସମୟରେ ଅଚଳ । ଫଳରେ ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ନାନା ସମସ୍ୟା ଭୋଗୁଛନ୍ତି । ଏହାର ପ୍ରତିବାଦରେ ସୋମବାର ରାସ୍ତା ଅବରୋଧ ହୋଇଛି । ଗରା, ମାଠିଆ ଧରି ମହିଳାମାନେ ପ୍ରତିବାଦ ଜଣାଇଛନ୍ତି । ତୁରନ୍ତ ଜଳ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ।