ଚଣ୍ଡିଖୋଲ ୨୦।୧୨: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ସୋମବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜମି ବିକିବାକୁ ତହସିଲଦାର ଅନୁମତି ନଦେବାରୁ ଶେଷରେ ନିରାଶ ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ମହିଳା। ତେବେ ମହିଳାଙ୍କ ବିରୋଧରେ ତହସିଲଦାର ଧର୍ମଶାଳା ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଘଟଣା ଧର୍ମଶାଳାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ନେଉଳପୁର ଗ୍ରାମର ଅନିମା ରାଉତ ନିଜର ଏକ ଜମିକୁ ବିକ୍ରି କରିବା ପାଇଁ ତହସିଲ ଅଫିସଠୁ ନେଇ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଚକ୍କର କାଟିଥିଲେ। ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବା ମହିଳା ଅଭିଯୋଗ କରିଥିଲେ। ଏ ନେଇ ଆଜି ତହସିଲଦାରଙ୍କ ଦ୍ୱାରସ୍ତ ହୋଇଥିଲେ ସୁଦ୍ଧା ଜମି ବିକ୍ରି ହୋଇ ପାରିବନି ବୋଲି ତହସିଲଦାର କହିଥିଲେ। ଶେଷରେ ନିରାଶ ହୋଇ ଆଜି ମହିଳା ତହସିଲ ଅଫିସ ଭିତରେ ନାରାବାଜି କରିବା ସହ ଆତ୍ମହୁତି ଉଦ୍ୟମ କରିଥିଲେ।
ଏ ନେଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଁଚି ମହିଳାଙ୍କୁ ବୁଝାସୁଝା କରି ଥାନାକୁ ଆଣିଥିଲେ। ଏହି ଘଟଣାକୁ ନେଇ ତହସିଲଦାର ମହିଳାଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି। ଏ ନେଇ ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।