ଆର୍ଥିକ ଅନଟନ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା, ହସ୍ପିଟାଲ ଧରାଇଲା ୪ ଲକ୍ଷ ଟଙ୍କାର ବିଲ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ: ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ହସ୍ପିଟାଲ ଧରାଇଲା ୪ ଲକ୍ଷ ଟଙ୍କାର ବିଲ୍ । ଘରୋଇ ହସ୍ପିଟାଲ ଚିକିତ୍ସା ବାବଦ ଖର୍ଚ୍ଚକୁ ନେଇ ୪ ଲକ୍ଷ ଟଙ୍କାର ଏକ ବିଲ ଧରାଇଛି । ଏହି ଘଟଣା ଏବେ ଆରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।  

୩୬ ବର୍ଷୀୟ ମହିଳାଙ୍କ ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅ ଡିସେମ୍ୱର ୧୦ରେ ଫ୍ୟାନରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାରର ଆର୍ଥିକ ଅଭାବ ଯୋଗୁଁ ଏପରି କରୁଥିବା ଏକ ହାତ ଲେଖା ଛାଡିଥିଲେ । ତେବେ କିଛି ପଡୋଶୀଙ୍କ ସହାୟତାରେ ଉଦ୍ଧାର କରି ତାଙ୍କୁ ଦିଲ୍ଲୀର ଏକ ସରକାର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଚିକିତ୍ସାରେ ବିଳମ୍ୱ ହେବା ଯୋଗୁଁ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରିବାର ଲୋକେ ତାଙ୍କୁ ଭର୍ତ୍ତି କରାଇଥିଲେ ।

ମହିଳାଙ୍କ ବାପାଙ୍କ କହିବା ଅନୁସାରେ, 'ହସ୍ପିଟାଲର କର୍ତ୍ତୃପକ୍ଷ ପ୍ରଥମେ ତାଙ୍କୁ ୭୫ ହଜାର ଜମା କରିବାକୁ କହିଥିଲେ । ଏହାପରେ ପୁଣି ୧୦,୦୦୦ ଟଙ୍କା ଜମା କରିବାକୁ କହିଥିଲେ । ସମ୍ପର୍କୀୟଙ୍କ ଠାରୁ ଧାର କରି ଏହି ରାଶି ଜମା କରିଥିଲୁ । କିନ୍ତୁ ଏବେ ମେଡିକାଲ ବିଲ ପ୍ରାୟ ୪ ଲକ୍ଷ ଟଙ୍କାର ଆସିଛି । ଏତେ ଟଙ୍କା କେଉଁଠୁ ଆଣି ଦେବୁ ଆମେ ଜାଣି ପାରୁନୁ'।

ପରିବାର ଲୋକେ ବିଲ୍ ଛାଡ କରିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଏହାସହ ସରକାରୀ ସହାୟତା ଜରିଆରେ ବାକି ଚିକିତ୍ସା କରାଇବାକୁ ନିବେଦନ କରିଛନ୍ତି । ହସ୍ପିଟାଲ ୱେବସାଇଟ୍ ଅନୁସାରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଚିକିତ୍ସା ପାଇଁ ଏଠାରେ ବ୍ୟବସ୍ଥା ରହିଛି । ତେବେ ଏହା ଉପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଜାରି କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.