ବିଷାକ୍ତ ମଦ ପିଇ ୧୨ ଜୀବନ ଗଲା, ମଦ ବାଣ୍ଟିଥିବା ପ୍ରାର୍ଥୀ ନିର୍ବାଚନ ଜିତିଲେ

Published By : Prameya-News7 Bureau | September 29, 2022 IST

ହରିଦ୍ୱାର: ବିଷାକ୍ତ ମଦ ପିଇ ୧୨ ଜଣଙ୍କର ଜୀବନ ଚାଲିଗଲା। ହେଲେ ବିଷାକ୍ତ ମଦ ବାଣ୍ଟିଥିବା ଲୋକ ନିର୍ବାଚନ ଜିତିଲା। ଉତ୍ତରାଖଣ୍ଡ ହରିଦ୍ୱାରରେ ଏଭଳି ଘଟିଛି। ୩୮ ବର୍ଷୀୟ ବାବ୍ଲି ଦେବୀ ପଞ୍ଚାୟତ ନିର୍ବାଚନ ଜିତି ଗ୍ରାମ ପ୍ରଧାନ ହୋଇଛନ୍ତି। ବିଜୟ ଖୁସୀକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିବା ପରେ ଆଜି ପୁଲିସ ତାଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ, ଚଳିତ ମାସ ଆରମ୍ଭରେ ହୁଚ୍(ବିଷାକ୍ତ ମଦ) ପିଇ ଏଠାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବାବ୍ଲି ଦେବୀଙ୍କ ନାଁ ସାମ୍ନାକୁ ଆସିଥିଲା। ନାଁ ସାମ୍ନାକୁ ଆସିବା ପରେ ୩ ସପ୍ତାହ ପାଇଁ ଫେରାର ହୋଇଯାଇଥିଲେ ବାବ୍ଲି। ହେଲେ ଆଜି ତାଙ୍କୁ ପୁଲିସ ଗିରଫ କରିଛି। ସେ ମାତ୍ର ଗୋଟେ ଭୋଟ୍‌ରେ ଶିବନାଗର ପଞ୍ଚାୟତ ନିର୍ବାଚନ ଜିତି ଗ୍ରାମ ପ୍ରଧାନ ହୋଇଛନ୍ତି।

ତାଙ୍କ ଗିରଫଦାରୀକୁ ନେଇ ପଥ୍ରି ଥାନା ଅଧିକାରୀ ପୱନ ଦିମ୍ରି କହିଛନ୍ତି " ଫୁଲଗଡ଼ ଗାଁରେ ଆମେ ଆଜି ବାବ୍ଲି ଦେବୀଙ୍କୁ ଗିରଫ କରିଛୁ। ହୁଚ୍‌ ଟ୍ରାଜେଡ଼ିର ମୁଖ୍ୟ ଅଭିଯୁକ୍ତ ତାଙ୍କ ସ୍ୱାମୀ ବିଜେନ୍ଦ୍ର ଚୌହ୍ୱାନକୁ ଆମେ ପୂର୍ବରୁ ଗିରଫ କରିସାରିଛୁ।"

ବାବ୍ଲି ଦେବୀ, ବିଜେନ୍ଦ୍ର ଚୌହ୍ୱାନ ଓ ତାଙ୍କ ବାଇ ନରେଶଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୨୬ ତାରିଖ ପଞ୍ଚାୟତ ନିର୍ବାଚନରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବାବ୍ଲି ଓ ତାଙ୍କ ପରିବାର ମଦ ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ହେଲେ ହତ୍ୟା ଅଭିଯୁକ୍ତ ଆଜି ନିର୍ବାଚନ ବିଜୟୀ ହୋଇଛନ୍ତି।

ଶିବନଗର ଗ୍ରାମପଞ୍ଚାୟତ ପାଇଁ ନିର୍ବାଚନ ହୋଇଥିଲା। ବାବ୍ଲିଙ୍କ ପକ୍ଷରୁ ତାଙ୍କ ଶ୍ୱଶୁର ସୁରଜଭାନ ଚୌହ୍ୱାନ ନିର୍ବାଚନର ତଦାରଖ କରୁଥିଲେ। ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରତିନ୍ଦ୍ୱନ୍ଦୀଙ୍କ ଠାରୁ ମାତ୍ର ଗୋଟିଏ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି। ଗାଁ ଲୋକଙ୍କ କହିବା କଥା ହେଲା କେବଳ ବାବ୍ଲି ଦେବୀ ବିଷାକ୍ତ ମଦ ବାଣ୍ଟି ନାହାନ୍ତି। ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ବିଷାକ୍ତ ମଦ ବାଣ୍ଟିଥିଲେ।

ନିର୍ବାଚନକୁ ନେଇ ରାଜନୈତିକ ବିଶ୍ଲେଷକ ତ୍ରିଲୋକ ଚାନ୍ଦଙ୍କ କହିବା କଥା ହେଲା, ଥାନାରେ କେସ୍ ହେବା ପରେ ବାବ୍ଲିଙ୍କ ସମର୍ଥକମାନେ ଭାବିଲେ ଯେ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି। ଏଥିରେ ତାଙ୍କର କୌଣସି ଦୋଷ ନାହି। ନିର୍ବାଚନ ଜିତିବାକୁ ବିରୋଧୀମାନେ ମିଛ କେସ୍ ଲଗାଉଛନ୍ତି। ଲୋକମାନଙ୍କର ଏହି ଭବନା ହିଁ ତାଙ୍କୁ ନିର୍ବାଚନ ଜିତାଇଲେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.