ଦାରିଦ୍ର୍ୟର ବିକଟାଳ ଚିତ୍ର : ସ୍ବାମୀଙ୍କ ଦଶାହ ପାଇଁ ହାତରେ ନାହିଁ ଟଙ୍କା, ଝିଅକୁ ବିକିବାକୁ ଚାହୁଁଛି ମାଆ
16/06/2019 at 1:16 PM

ବୌଦ୍ଧ ୧୬|୬: ବୌଦ୍ଧ ଜିଲ୍ଲାରେ ଦାରିଦ୍ର୍ୟର ବିକଟାଳ ଚିତ୍ର । ବିକି-ଭାଙ୍ଗି ସ୍ବାମୀଙ୍କ ଅନ୍ତ୍ୟେଷ୍ଟି ସାରିଦେଲେ, ହେଲେ ଦଶାହ ପାଇଁ ବି ସମ୍ବଳ ନାହିଁ। ଏଥିପାଇଁ ନିଜ ଝିଅକୁ ବିକି ଦେବାକୁ ମନ ବାନ୍ଧିଛନ୍ତି ମାଆ । ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ବେସାହାରା ହୋଇ ଯାଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡ଼ଭେଲିପଦର ଗାଁର ପୂର୍ଣ୍ଣିମା। ସ୍ବାମୀ ଭଜମନ ଗେଜ ତିନିମାସ ହେଲା ବଲାଙ୍ଗୀର ଚନ୍ଦନଭାଟିରେ ଏକ କ୍ରସରରେ କାମ କରୁଥିଲେ। ପରିବାର କଷ୍ଟେମଷ୍ଟେ ଚଳିଯାଉଥିଲା।

ଗତ ମେ’ ୨୫ ତାରିଖରେ କ୍ରସରରୁ ପଡ଼ି ଭଜମନଙ୍କ ମେରୁଦଣ୍ଡ, ଅଣ୍ଟା ତଥା ପିଠିର ଏକାଧିକ ହାଡ଼ ଭାଙ୍ଗି ଗୁରୁତର ଆହତ ହୋଇଥିଲେ। ତାଙ୍କୁ କ୍ରସର ମାଲିକ ବଲାଙ୍ଗିର ମେଡିକାଲ, ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। ୧୫ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଲା। ହେଲେ ଆଖି ବୁଜିଲେ ଭଜମନ। ସ୍ବାମୀଙ୍କ ଚିକିତ୍ସାରେ କେବଳ ଘରଖଣ୍ଡିକ ଛାଡ଼ି ଦେଲେ ବାକି ସ୍ଥାବର ଅସ୍ଥାବର ସଂପତ୍ତିକୁ ବିକି ଦେଇଛନ୍ତି ପୂର୍ଣ୍ଣିମା।ସ୍ବାମୀଙ୍କ ମୃତ୍ୟୁ ପରେ ସର୍ବହରା ପାଲଟିଥିବା ସ୍ତ୍ରୀ ଓ ପିଲା ଏବେ ସଂପୂର୍ଣ୍ଣ ଅସହାୟ।

ସାଧାରଣ ବର୍ଗର ପୂର୍ଣ୍ଣିମା ଦଳିତ ସଂପ୍ରଦାୟର ଭଜମନଙ୍କୁ ପ୍ରେମ ବିବାହ କରିଥିଲେ ବୋଲି ବାପଘର ଓ ଶ୍ବଶୁର ଘର ଲୋକ ପର କରିଦେଇଛନ୍ତି। ଛୋଟଛୋଟ ଚାରି ଝିଅ। ଏମାନଙ୍କୁ ଦୁଇ ବେଳା ଖାଇବାକୁ ଦେବାକୁ ବି ସମ୍ବଳ ନାହିଁ। ସ୍ଥିତ ଏମିତି ଯେ, ସ୍ବାମୀଙ୍କ ଦଶାହ କରିବାକୁ ହାତରେ ଟଙ୍କା ନାହିଁ ବୋଲି ଚାରି ଝିଅଙ୍କ ମଧ୍ୟରୁ ଜଣକୁ ବିକି ଦେବେ ବୋଲି ବିନା ସଙ୍କୋଚରେ କହୁଛନ୍ତି ଅସହାୟ ମା’ ପୂର୍ଣ୍ଣିମା। ସ୍ବାମୀଙ୍କ ଅନ୍ତିମ ସତ୍କାର ପାଇଁ ମଧ୍ୟ ପୂର୍ଣ୍ଣିମା ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନାରୁ ସାହାଯ୍ୟ ପାଇନାହାନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ।