ଗର୍ଭଧାରଣ ପାଇଁ ତାନ୍ତ୍ରିକ ସାହାରାରେ ଶାଶୁ ଘର ଲୋକେ, ମହିଳାଙ୍କୁ ଖୁଆଇଲେ ପାଉଡର ବୋଳା ହାଡ
22/01/2023 at 10:33 AM

ପୁନେ: ମହିଳାଙ୍କୁ ପାଉଡର ବୋଳା ମଣିଷ ହାଡ ଖାଇବାକୁ ବାଧ୍ୟ କରୁଛନ୍ତି ସ୍ଵାମୀ ସମେତ ଶାଶୁ ଘର ଲୋକ। ଏମିତି କଲେ ଗର୍ଭଧାରଣ ହେବ ଏବଂ ପିଲାଛୁଆ ଜନ୍ମ ହୋଇ ପାରିବ। ସ୍ଥାନୀୟ ତାନ୍ତ୍ରିକ କଥାରେ ପଡି ମହିଳାଙ୍କୁ ଏମିତି କରିବାକୁ ଚାପ ପକାଉଛନ୍ତି ଶାଶୁ ଘର ଲୋକେ। ଶେଷରେ ବାଧ୍ୟ ହୋଇ ମହିଳା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଏହି ଘଟଣା ପୁନେ ସହରର ସିଙ୍ଘବାଦ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି।
ମହିଳା ଥାନାରେ ସ୍ଵାମୀ, ଶାଶୁ ଏବଂ ତାନ୍ତ୍ରିକ ବାବା ସମେତ ସାତ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁନେ ଡିସିପି ସୁଶୀଲ ଶର୍ମା କହିଛନ୍ତି, ପୋଲିସ୍ ଆଇପିସିର ବିଭିନ୍ନ ଧାରା ଅନୁସାରେ ସାତ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ୍ ଅନୁଯାୟୀ ମହିଳା ଅଭିଯୋଗ କରିଛନ୍ତି ଯେ, ୨୦୧୯ ବିବାହ ସମୟରେ ଶାଶୁ ଘର ଲୋକେ ଯାହା ଯୌତୁକ ଦାବି କରିଥିଲେ ସବୁ ଦେଇଛୁ। ତା ପରେ ବି ଯୌତୁକ ଦାବି କରି ନିର୍ଯାତନା ଦେଉଛନ୍ତି।
ଏ ଖବର ପଢନ୍ତୁ- ତାନ୍ତ୍ରିକ ନିର୍ଦ୍ଦେଶରେ ବଡ଼ ଭାଇକୁ ସୁସ୍ଥ କରିବାକୁ ବାପା-ମାଆଙ୍କୁ ବଳିଦେଲା ନାବାଳକ
ଛୁଆ ପାଇବା ଆଶାରେ ମହିଳାଙ୍କୁ ଅମାବାସ୍ୟାରେ କିଛି ତନ୍ତ୍ର ମନ୍ତ୍ର କାମରେ ସାମିଲ୍ ହେବାକୁ ବାଧ୍ୟ କରୁଥିଲେ। ଏପରିକି କିଛି ଅନ୍ୟ ପରମ୍ପରା ପାଇଁ ପୀଡିତାଙ୍କୁ ବଳପୂର୍ବକ ଶ୍ମଶାନକୁ ନିଆଯାଉଥିଲା ଏବଂ ପାଉଡର ମିଶା ପାଉଡର ଖାଇବାକୁ ବାଧ୍ୟ କରାଯାଉଥିଲା। ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୪୯୮ଏ, ୩୨୩, ୫୦୪, ୫୦୬ ସହିତ ଅନ୍ଧ ବିଶ୍ଵାସୀ ବିରୋଧୀ ଅଧିନିୟମର ଧାରା ୩ ଆଧାରରେ ମାମଲା ରୁଜୁ କରାଯାଇଛି।
ପୋଲିସ୍ କହିଛି, ପୀଡିତାଙ୍କ ଶାଶୁ ଘର ଲୋକ ଶିକ୍ଷିତ। ତଥାପି ସମସ୍ତେ ତାନ୍ତ୍ରିକ ଉପରେ ବିଶ୍ଵାସ କରୁଥିଲେ। ଶ୍ମଶାନକୁ ଯାଇ ମାମଲାର ଛାନବିନ ଆରମ୍ଭ କରି ଦେଇଛୁ। ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।