ଚୋରଣୀ ବୋହୁ ; ଶ୍ୱଶୁର ଘରୁ ୧୫ ଲକ୍ଷ ଟଙ୍କା ଏବଂ ୨୫ ଭରି ସୁନା ଚୋରି କରି ପ୍ରେମିକକୁ ଦେଇଥିଲା, ସିସିଟିଭିରେ ଧରାପଡିଲା ପୂରା ଘଟଣା

Published By : Prameya-News7 Bureau | January 22, 2019 IST

ଫିଲୋର ୨୨/୧ : ଜଣେ ବ୍ୟବସାୟୀଙ୍କ ବୋହୁ ପ୍ରେମିକ ସହ ମିଶି ସ୍ୱାମୀଙ୍କ ଘରୁ ୧୫ ଲକ୍ଷ ଟଙ୍କା ଏବଂ ୨୫ ଭରି ସୁନା ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି | ପୋଲିସ ପଡୋଶୀ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଚୋରଣୀ ବୋହୁର କାରନାମା ଲୋକଲୋଚନାକୁ ଆଣିଛି | ଫୁଟେଜରେ ବୋହୁ ଚୋରି କରିଥିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଚୋରଣୀ ବୋହୁକୁ ଗିରଫ କରିଛି | ସ୍ୱାମୀଙ୍କ ଘରୁ ଟଙ୍କା ଚୋରି କରି ପ୍ରେମିକ ସହ ଫେରାର ହୋଇ ବିବାହ କରିବାକୁ ଚାହୁଁଥିଲେ ମହିଳା |

ଘଟଣା ଚଣ୍ଡୀଗଡ଼ର ଫିଲୋର ଅଂଚଳର | ଫିଲୋରର ବ୍ୟବସାୟୀ ଇନ୍ଦ୍ରଜିତ ଶର୍ମା ପୋଲିସରେ ଏତଲା ଦେଇଥିଲେ ଯେ, ତାଙ୍କ ଘରୁ ୨୫ ଭରି ସୁନା ଏବଂ ୧୫ ଲକ୍ଷ ଟଙ୍କା ଚୋରି ହୋଇଛି | ଏତଲା ପରେ ଥାନା ଅଧିକାରୀ ଯତୀନ୍ଦ୍ର ବ୍ୟବସାୟୀଙ୍କ ଘରେ ଯାଞ୍ଚ ଆରମ୍ଭ କରିଥିଲେ | ଯାଞ୍ଚ ବେଳେ ପୋଲିସ ସନ୍ଦେହ କରିଥିଲା ଯେ, ଚୋରି ବାହାରର କେହି ନକରି ବରଂ ଘରର କୌଣସି ସଦସ୍ୟ କରିଥାଇପାରନ୍ତି | ଏହାପରେ ପୋଲିସ ପଡୋଶୀରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା | ଫୁଟେଜ ଘାଣ୍ଟିବା ପରେ ସବୁ ଘଟଣା ସାମ୍ନା ଆସିଥିଲା | ପୋଲିସ ଚୋରଣୀ ବୋହୁ ରିମ୍ପଲକୁ ଗିରଫ କରିଥିଲା |

ପଚରାଉଚୁରା କରିବାରୁ ରିମ୍ପଲ ନିଜ ଦୋଷ ସ୍ୱୀକାର କରିଥିଲା | ରିମ୍ପଲ କହିଥିଲେ ଯେ, ବ୍ୟବସାୟୀଙ୍କ ପୁଅ ରାକେଶ ସହ ବିବାହ ପୂର୍ବରୁ ଫରିଦକୋଟର ଲଖବୀର ସିଂହ ନାମକ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା | ଫେସବୁକରେ ଲଖବୀର ସହ ରିମ୍ପଲଙ୍କ ଯୋଗାଯୋଗ ହୋଇଥିଲା | ଲଖବୀର ଲୁଧିଆନାର ଏକ ଫଟୋ ସ୍ଟୁଡ଼ିଓରେ କାମ କରୁଥିଲା | କୌଣସି କାରଣବଶତଃ କିନ୍ତୁ ଉଭୟଙ୍କ ବିବାହ ହୋଇପାରିନଥିଲା |

{"id":76828}

୪ ମାସ ପୂର୍ବରୁ ରାକେଶ ସହ ରିମ୍ପଲଙ୍କ ବିବାହ ହୋଇଥିଲା | ବିବାହ ପରେ ମଧ୍ୟ ଲଖବୀର ସହ ରିମ୍ପଲର ସମ୍ପର୍କ ରହିଥିଲା | ପ୍ରେମିକ ସହ ମିଶି ଶାଶୂଘରୁ ଚୋରି କରିବା ଯୋଜନା ପ୍ରସ୍ତୁତ କରିଥିଲା ରିମ୍ପଲ | ଘରୁ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଗହଣା ଚୋରି କରି ପ୍ରେମିକକୁ ଦେଇଦେଇଥିଲା ରିମ୍ପଲ | ଏହାପରେ ଉଭୟ ରିମ୍ପଲ ଏବଂ ଲଖବୀର ଫେରାର ହୋଇ ବିବାହ କରିବା ପାଇଁ ଯୋଜନା କରିଥିଲେ ବୋଲି ରିମ୍ପଲ ପୋଲିସକୁ କହିଥିଲେ | ଅପରପକ୍ଷରେ ଲଖବୀରକୁ ମଧ୍ୟ ଗିରଫ କରାଯାଇଛି |

ସିସିଟିଭି ଫୁଟେଜରେ ପୋଲିସ ଦେଖିଥିଲେ, ରିମ୍ପଲ ଦିନ ଦ୍ବିପହରରେ ଏକ ବ୍ୟାଗ ଧରି ଘରୁ ବାହାରକୁ ବାହାରିଥିଲା | ସାମନପଟୁ ଜଣେ ଯୁବକ ଆସି ରିମ୍ପଲ ହାତରୁ ବ୍ୟାଗ ନେଇ ଚାଲିଯାଇଥିଲା | ୫ ମିନିଟ ପରେ ରିମ୍ପଲ ପୁଣିଥରେ ଏକ ଛୋଟ ବ୍ୟାଗ ଧରି ଘରୁ ବାହାରକୁ ବାହାରିଥିଲା | ଦ୍ୱିତୀୟଥର ମଧ୍ୟ ସେହି ସମାନ ଯୁବକ ପୁଣି ଆସି ରିମ୍ପଲା ହାତରୁ ବ୍ୟାଗ ନେଇ ଚାଲିଯାଇଥିଲା | ଏହାପରେ ରିମ୍ପଲା ଘରକୁ ଆସି ସାଧାରଣ ଭାବେ ଘରର କାମରେ ଲାଗିଯାଇଥିଲା | ଯେପରିକି କେହି ତା'ଉପରେ ସନ୍ଦେହ ନକରନ୍ତୁ |

ଘଟଣା ସାମ୍ନାକୁ ଆସିବାପରେ ଇନ୍ଦ୍ରଜିତଙ୍କ ପରିବାର ବୋହୁ ରିମ୍ପଲର କାରନାମା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.