ନିଷ୍ଠୁର ପାଲଟିଛି ଋଷ୍‌, ମା’ଙ୍କୁ ଧରି ମେଡିସିନ୍‌ ଖୋଜୁଥିଲେ ଯୁବତୀଙ୍କ ଉପରେ ରୁଷ ସେନାର ଗୁଳି ବର୍ଷା

Published By : Prameya-News7 Bureau | March 14, 2022 IST

କିଭ୍‌ ୧୪/୦୩ : ଚାଲିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। କମୁନି ଋଷର ଜୁଲମ୍‌।  ଚାଲିଯଉଛି ଅନେକ ନୀରିହଙ୍କ ଜୀବନ। ଏହାରି ଭିତରେ ସାମ୍ନାକୁ ଆସିଛି ବର୍ବରତାର କାହାଣୀ। ଅସୁସ୍ଥ ମା’ଙ୍କପାଇଁ ମେଡିସିନ୍‌ ଆଣିବାକୁ ଯାଇଥିବା ଯୁବତୀଙ୍କ ଉପରେ ଗୁଳିମାଡ଼।  ଯୁଦ୍ଧ ଟ୍ୟାଙ୍କ ଜରିଆରେ କଲା ଟାର୍ଗେଟ। ଅତି ନୃଶଂସ ଭାବେ ଉକ୍ତ ଯୁବତୀଙ୍କୁ କଲା ହତ୍ୟା। ଏହି ଆକ୍ରମଣରେ ଉକ୍ତ ଯୁବତୀଙ୍କ କାର୍‌ରେ ବସିଥିବା ରୋଗିଣା ମା’ ଓ  ଡ୍ରାଇଭରଙ୍କ ବି ହୋଇଛି ମୃତ୍ୟୁ।

ଯୁବତୀ ଜଣକ ହେଲେ ଭାଲେରିଆ ମାକ୍‌ସେତ୍‌ସ୍କା ।  ବୟସ ୩୧ । କିଭ୍‌ ବାହାରେ ଥିବା ଏକ ଗାଁରେ  ମାଙ୍କ ପାଇଁ ଖୋଜୁଥିଲେ ଔଷଧ। ଏହି ସମୟରେ ଏକ ଟ୍ୟାଙ୍କ୍ ତାଙ୍କ ଉପରେ କରିଥିଲା ଗୁଳି ବର୍ଷଣ। ଏଥିରେ ତାଙ୍କ  ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ମା’ ଇରିନା ଏବଂ ଡ୍ରାଇଭର୍‌ ମଧ୍ୟ ମୃତ୍ୟୁ ହୋଇଛି।

ଭାଲେରିଆ ମାକ୍‌ସେତ୍‌ସ୍କା ଥିଲେ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ।  ମୃତ୍ୟୁ ପୂର୍ବରୁ ସେ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଏଜେନ୍‌ସି ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ରେ କାର୍ଯ୍ୟରତ ଥିଲେ। ରୁଷ୍‌ ଆକ୍ରମଣ କରିବା ପରେ ସେ ଦେଶ ଛାଡ଼ି ଯାଇ ନଥିଲେ।  ବରଂ  ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇଥିଲେ ନିଷ୍ପତ୍ତି ।

କିନ୍ତୁ ପରେ ମା’ଙ୍କ ଔଷଧ ଶେଷ ହୋଇଯାଇଥିଲା। ତେଣୁ ପରେ ସେ ଦେଶ ଛାଡ଼ି ଚାଲିଯିବାକୁ କରିଥିଲେ ସ୍ଥିର । ସେଥିପାଇଁ ସେମାନେ ୟୁକ୍ରେନ୍‌ର ପଶ୍ଚିମ ସୀମାନ୍ତ ଆଡ଼କୁ ଗାଡ଼ି ଚଳାଇ ଯାଉଥିଲେ। ବାଟରେ ଗାଡ଼ି ରଖି ଭାଲେରିଆ ମା’ଙ୍କ ପାଇଁ ଔଷଧ ଖୋଜିବାକୁ ଯାଇଥି‌ବା ବେଳେ ଘଟିଛି ଏମିତି ଅଘଟଣ।

ରିପୋର୍ଟ ଅନୁସାରେ, ରୁଷ ସେନାବାହିନୀଙ୍କୁ ବାଟ ଛାଡ଼ିବାକୁ ସେମାନେ  ଅଟକାଇଥିଲେ କାର୍‌ । କିନ୍ତୁ ରାସ୍ତା ଅତିକ୍ରମ କରୁଥିବା ରୁଷ୍‌ ସୈନିକମାନଙ୍କ ମଧ୍ୟରୁ ଜଣେ ତାଙ୍କ କାର୍‌ ଉପରକୁ ମାରିଥିଲେ ତୋପ। ଫଳରେ   କାର୍‌ ସମେତ ସେଥିରେ ଥିବା ସମସ୍ତ ବ୍ୟକ୍ତିଙ୍କର ହୋଇଛି ମୃତ୍ୟୁ ।

 ଏହି ଯୁଦ୍ଧ ରଚୁଚି ଧ୍ୱଂଶଲୀଳା। ସାରା ବିଶ୍ୱ ପାଇଁ ସୃଷ୍ଟି କରିଛି ସଙ୍କଟ ପରିସ୍ଥିତି ।  ଅନେକ ସାଧାରଣ ନାଗିରକଙ୍କ  ହୋଇଛି ମୃତ୍ୟୁ ।  ଏ ସବୁର ଅନ୍ତ କେବେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.