ସ୍ୱାମୀ ଓ ପ୍ରେମୀ ଉଭୟଙ୍କ ସହ ଏକ ସଂଗେ ରହିବା ପାଇଁ ପୋଲିସ ଥାନାରେ ନିବେଦନ କଲେ ମହିଳା

Published By : Prameya-News7 Bureau | September 22, 2018 IST

ଇନ୍ଦୋର ୨୨/୯ : ଗୁରୁବାର ରାତିରେ ଇନ୍ଦୋରର ଏକ ପୋଲିସ ଥାନାରେ ଜଣେ ମହିଳା ପହଂଚି ପୋଲିସକୁ ଏକ ଅଦ୍ଭୁତ ନିବେଦନ କରିଛନ୍ତି | ପୋଲିସକୁ ମହିଳା କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀ ଓ ପ୍ରେମିକ ଉଭୟଙ୍କ ସହ ଏକା ସହିତ ରହିବାକୁ ଚାହାନ୍ତି | ଏଥି ପାଇଁ ତାଙ୍କ ସ୍ୱାମୀ ଅନୁମତି ଦେଇନଥିବାରୁ ସ୍ୱାମୀଙ୍କ ଉପରେ ପୋଲିସ ଚାପ ପକାଉ ବୋଲି ସେ ପୋଲିସକୁ ନିବେଦନ କରିଥିଲେ | ମହିଳାଙ୍କ ଏଭଳି ଅଦ୍ଭୁତ ଅନୁରୋଧ ନେଇ ପୋଲିସ ଆଶ୍ଚର୍ଯ୍ୟ ହୋଇଥିଲା | ତଥାପି ପୋଲିସ ମହିଳାଙ୍କ ପ୍ରେମିକଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଥିଲା | ପଚରାଉଚୁରା ବେଳେ ମହିଳାଙ୍କ ପ୍ରେମିକ କହିଥିଲେ ଯେ, ମହିଳା ଓ ତାଙ୍କ ସ୍ୱାମୀଙ୍କ ସହ ରହିବାରେ ତାଙ୍କର କୌଣସି ଆପତ୍ତି ନାହିଁ | ଘଟଣା ସମାଧାନ କରିବାକୁ ଉଦ୍ୟମ କରୁଥିବା ପୋଲିସ ପ୍ରେମିକ ଏଭଳି ଉତ୍ତରରେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା | ଏହାପରେ ମହିଳାଙ୍କ ସ୍ୱାମୀଙ୍କୁ ଥାନାକୁ ଡକାଯାଇଥିଲା | ମହିଳାଙ୍କ ସ୍ୱାମୀ ଥାନାରେ ପହଂଚିବା ପୂର୍ବରୁ ପୋଲିସକୁ ମହିଳା କହିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କୁ ବହୁତ ମାରପିଟ କରନ୍ତି | ହେଲେ ସେ ବହୁତ ଭଲ ଲୋକ | ମହିଳାଙ୍କ ସ୍ୱାମୀ ଥାନାରେ ପହଂଚିବା ପରେ ଘଟଣାର ମୋଡ ବଦଳିଯାଇଥିଲା | ମହିଳାଙ୍କ ସ୍ୱାମୀ ପୋଲିସକୁ କହିଥିଲେ ଯେ, ମହିଳା ଓ ତାଙ୍କ ପ୍ରେମିକ ଲୁଚିଛପି ଅନୈତିକ ସମ୍ପର୍କ ରଖିଥିବା ସେ ଜାଣିବା ପରେ ମହିଳାଙ୍କୁ ବାରମ୍ବାର ତାଗିଦ କରିଆସୁଥିଲେ ଓ ସେଥିପାଇଁ ମାରପିଟ ମଧ୍ୟ କରୁଥିଲେ | ଏତିକି ବେଳେ ମହିଳାଙ୍କ ପ୍ରେମିକ ମହିଳାଙ୍କ ସହ ଆଉ ସମ୍ପର୍କ ରଖିବେ ନାହିଁ ବୋଲି କହି ପୋଲିସକୁ ପ୍ରତିଶୃତି ଦେଇ ଥାନାରୁ ଚାଲିଆସିଲେ | ପୋଲିସ ମହିଳାଙ୍କୁ ଚେତାବନୀ ଦେଇଥିଲା ଯେ, ଭବିଷ୍ୟତରେ ବିବାହିତା ଜୀବନରେ ରହି ଯଦି ସେ କୌଣସି ଅନୈତିକ କାର୍ଯ୍ୟ କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ | ସ୍ୱାମୀ ଓ ପ୍ରେମୀ ସହ ଏକା ସଂଗେ ରହିବା ପାଇଁ ଥାନାରେ ମହିଳାଙ୍କ ଏଭଳି ଆବେଦନ ଏବେ ଚର୍ଚ୍ଚାର ବିଷୟ ହୋଇଛି | ମହିଳାଙ୍କ ମାନସିକ ବିକୃତି ଥିବା ପୋଲିସ ଆଶଙ୍କା କରି ତାଙ୍କର ମାନସିକ ଚିକିତ୍ସା କରିବ ପାଇଁ ମହିଳାଙ୍କ ସ୍ୱାମୀଙ୍କୁ ପରାମର୍ଶ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.