ପଶ୍ଚିମବଙ୍ଗରେ ବି ନିର୍ଭୟା ଘଟଣା ; ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ଲୁହା ରଡ୍

Published By : Prameya-News7 Bureau | October 22, 2018 IST

ଜଲପାଇଗୁଡି ୨୨|୧୦:  ପଶ୍ଚିମବଙ୍ଗର ଜଲପାଇଗୁଡିରେ ଦିଲ୍ଲୀ ନିର୍ଭୟା ଭଳି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଜଲପାଇଗୁଡିରେ ଜମିବାଡି ବିବାଦକୁ ନେଇ ଜଣେ ମହିଳାଙ୍କୁ ତାଙ୍କର ଜଣେ ସଂପର୍କୀୟ ଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଛନ୍ତି । ପୋଲିସର କହିବା ଅନୁସାରେ ପୀଡିତାଙ୍କୁ ଜଲପାଇଗୁଡି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଧୁପଗୁଡି ପୋଲିସ ଥାନା ଅଞ୍ଚଳରେ ଶନିବାର ରାତିରେ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଛି। ମହିଳାଙ୍କ ଘର ନିକଟରେ ଥିବା ଏକ ଜଳାଶୟ ପାଖରେ ହିଁ ତାଙ୍କୁ ଦୁଷ୍କର୍ମ କରାଯାଇଛି । ସଂପୃକ୍ତ ମହିଳାଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ଜମିବାଡି ବିବାଦ ଲାଗିରହିଥିଲା । ଘଟଣା ଦିନ ସଂପୃକ୍ତ ମହିଳାଙ୍କ ସ୍ବାମୀ ଘରେ ନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଏହି ମହିଳାଙ୍କୁ ତାଙ୍କ ଘର ନିକଟରେ ଥିବା ଏକ ଜଳାଶୟ ପାଖକୁ ଡାକିଥିଲେ ଜମିବାଡି ମାମଲାର ସମାଧାନ କରିବା ପାଇଁ । ସେଠାରେ ମହିଳାଙ୍କୁ ସମ୍ପର୍କୀୟ ଧମକାଇବା ସହ ଦୁଷ୍କର୍ମ କରିଥିଲେ । କେବଳ ଏତିକି ନୁହେଁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଥିଲେ ଅଭିଯୁକ୍ତ । ଅଭିଯୁକ୍ତ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ପରେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ  ଜଣେ ରିକ୍ସା ଚାଳକ ଦେଖି ତାଙ୍କୁ ଘରେ ଆଣି ଛାଡିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ରବିବାର ଦିନ ଘରଲୋକ ଜଲପାଇଗୁଡି ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଘଟଣା ସମୟରେ ଅଭିଯୁକ୍ତ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମହିଳାଙ୍କ କହିବା ଅନୁସାରେ ସେ ବ୍ୟକ୍ତି ଜଣଙ୍କ କିଛି କରିନାହାନ୍ତି । ପୋଲିସ ଅଭିଯୁକ୍ତ ଏବଂ ତାଙ୍କ ସାଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.