କରୋନା ଭୟରେ ଘର ଭିତରେ ପୁଅ ସହ ୩ ବର୍ଷ! ଚାକିରୀକୁ ଯାଉଥିବାରୁ ସ୍ୱାମୀଙ୍କୁ ପୁରାଉନଥିଲେ ଘରେ
23/02/2023 at 4:44 PM

ଗୁରୁଗ୍ରାମ ୨୩।୨: କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ତେବେ ଭାରତ ସମେତ ଅନେକ ଦେଶରୁ କରୋନା ଏବେ ହଟି ଗଲାଣି। ହେଲେ କରୋନା କାଳରେ ୭ ବର୍ଷର ପୁଅ ସହ ନିଜକୁ ଘରେ ବନ୍ଦୀ କରିଥିବା ଜନୈକା ମହିଳା ଏପର୍ଯ୍ୟନ୍ତ ଘରୁ ପଦାକୁ ବାହାରି ନଥିଲେ। ଏପରିକି ପ୍ରଥମ କରୋନା ଲକଡାଉନ ହଟିବା ପରେ କାମ କରିବାକୁ ଘରୁ ବାହାରିଥିବା ସ୍ୱାମୀଙ୍କୁ ମଧ୍ୟ ଘରେ ପୁରାଇ ଦେଉ ନଥିଲେ ମହିଳା। ଦୀର୍ଘ ୩ ବର୍ଷ ପରେ ମହିଳା ଓ ତାଙ୍କ ୧୦ବର୍ଷର ପୁଅକୁ ପୋଲିସ ବନ୍ଦ ଘରୁ ଉଦ୍ଧାର କରିଛି।
ଉଦ୍ଧାର ପରେ ମହିଳାଙ୍କୁ ମାନସିକ ରୋଗ ଚିକିତ୍ସକ କାଉନସେଲିଂ କରିଛନ୍ତି। ତେବେ କରୋନାକୁ ନେଇ ତାଙ୍କ ମାନସିକ ସ୍ଥିତି ଏପରି ରହିଛି ଯେ ଡାକ୍ତର ତାଙ୍କୁ ଚିକିତ୍ସା ଲାଗି ପିଜିଆଇ ରେଫର କରିଛନ୍ତି। କରୋନା ଲକଡାଉନ ପୂର୍ବରୁ ପ୍ରଧାନମନ୍ତ୍ରୀ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କରିଥିଲେ। ଏହାର ମାତ୍ର ଅଳ୍ପଦିନ ପରେ ସାରା ଦେଶରେ କରୋନା ଲକଡାଉନ ଲଗାଇ ଦିଆଯାଇଥିଲା। ସେବେଠାରୁ ଗୁରୁଗ୍ରାମର ମାରୁତି ବିହାର କଲୋନୀରେ ରହୁଥିବା ମହିଳା ତାଙ୍କ ସ୍ୱାମୀ ଓ ପୁଅ ସହ ନିଜକୁ ଘରେ ବନ୍ଦୀ କରିଥିଲେ।

ପ୍ରଥମ ଲକଡାଉନ ଖୋଲିବା ପରେ ଜନଜୀବନ କିଛିଟା ସ୍ୱଭାବିକ ହୋଇଥିଲା। ଲୋକେ ପୁଣି କର୍ମକ୍ଷେତ୍ରକୁ ଫେରିଥିଲେ। ଏଥିରେ ମହିଳାଙ୍କ ସ୍ୱାମୀ ମଧ୍ୟ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ହେଲେ ଘରୁ କାମ ଯାଇଥିବା ସ୍ୱାମୀଙ୍କୁ କରୋନା ଭୟରେ ମହିଳା କାର୍ଯ୍ୟାଳୟରୁ ଫେରିବା ପରେ ଆଉ ଘରେ ପୁରାଇ ନଥିଲେ। ଅଗତ୍ୟା ସ୍ୱାମୀ ବନ୍ଧୁମାନଙ୍କ ସହ ରହିବା ଆରମ୍ଭ କରିଥିବା ବେଳେ ପରେ ଚକରପୁରରେ ଘରଭଡା ନେଇ ରହିବା ଆରମ୍ଭ କରିଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ୩ ବର୍ଷ ହେଲା ମହିଳା ଘରୁ ପଦାକୁ ବାହାରି ନଥିବା ବେଳେ ତାଙ୍କ ପୁଅ ଦେହରେ ସୂର୍ଯ୍ୟ କିରଣ ମଧ୍ୟ ପଡି ନାହିଁ।
ମଗାଉନଥିଲେ ଗ୍ୟାସ୍ ସିଲିଣ୍ଡର
କରୋନା କାଳରେ ଅନଲାଇନ କିଣାକିଣି ଢେର ବଢି ଯାଇଥିଲା। ମହିଳା ଘରେ ରହି ଅନଲାଇନରେ ଖାଦ୍ୟପଦାର୍ଥ ମଗାଇ ଖାଉଥିଲେ। ଏପରିକି ରୋଷେଇ ଘରେ ଗ୍ୟାସ୍ ସିଲିଣ୍ଡର ସରିଯିବା ପରେ ବି କରୋନା ଭୟରେ ମହିଳା ରିଫିଲ କରାଇନଥିଲେ। ଗ୍ୟାସ ସିଲିଣ୍ଡର ନେଇ ଆସୁଥିବା କର୍ମଚାରୀଙ୍କ ଠାରୁ କରୋନା ସଂକ୍ରମଣ ହେବା ଭୟରେ ସେ ୩ ବର୍ଷ ହେଲା ଇଣ୍ଡକ୍ସନରେ ରୋଷେଇ କରି ନିଜେ ଖାଉଥିଲେ ଓ ପୁଅକୁ ଖୁଆଉଥିଲେ।

ଘରକୁ କରିଥିଲେ ଅଳିଆ ଗଦା
ମହିଳା କରୋନା ଲାଗି ଏତେ ଭୟଭୀତ ହୋଇ ପଡିଥିଲେ ଯେ ମା ପୁଅ ଘରକୁ ମଗାଇ ଖାଉଥିବା ସାମଗ୍ରୀର ଖୋଳ ଓ ପ୍ୟାକେଟ୍ ବି ଫିଙ୍ଗିବାକୁ ଯାଉନଥିଲେ। ଅନଲାଇନରେ ପରିବା କିଣି ରୋଷେଇ କରୁଥିଲେ। ପରିବା ଚୋପା ମଧ୍ୟ ଘରେ ଗଦାଇ ଥିଲେ। ଅଳିଆ ପକାଇବାକୁ ବାହାରକୁ ବାହାରିଲେ କରୋନା ସଂକ୍ରମଣ ହୋଇପାରେ ସେହି ଭୟରେ ଅଳିଆ ଘରେ ଗଦାଉଥିଲେ। ପୁଅକୁ ସ୍କୁଲ ଟ୍ୟୁସନ ବି ଛାଡୁନଥିଲେ। ଘରେ ଅନଲାଇନରେ ସ୍କୁଲ ଓ ଟ୍ୟୁସନ ପଢା କରାଉଥିଲେ।
ପିତାଙ୍କ କଥାକୁ ମଧ୍ୟ ବିଶ୍ୱାସ କରିନଥିଲେ ମହିଳା
କରୋନାକୁ ନେଇ ଭୟଭୀତ ମହିଳାଙ୍କୁ ବୁଝେଇବାକୁ ତାଙ୍କ ସ୍ୱାମୀ ଶ୍ୱଶୂରଙ୍କୁ ଘଟଣା ସମ୍ପର୍କରେ ସୂଚିତ କରିଥିଲେ। ସେ ଫୋନ କରି ଦେଶରେ କରୋନା ସମାପ୍ତ ହୋଇଥିବା ଓ ଲୋକେ ସ୍ୱଭାବିକ ଜୀବନ ଯାପନ କରୁଥିବା କଥା ଝିଅକୁ ବୁଝେଇବାକୁ ଚେଷ୍ଟା କରିଥିଲେ। ହେଲେ ଝିଅ ବୁଝିବାକୁ ନାରାଜ ଥିଲା। ଯେତେ ବୁଝାସୁଝା କଲେବି ମହିଳା ଘରୁ ବାହାରକୁ ବାହାରୁନଥିଲେ କି ପୁଅକୁ ବି ବାହାରକୁ ଛାଡୁନଥିଲେ। ଘରରର ଝରକା କବାଟ ବି ଖୋଲୁନଥିଲେ।

ପୋଲିସର ସହାୟତା ନେଲେ ସ୍ୱାମୀ
ଶେଷରେ ବାଧ୍ୟ ହୋଇ ମହିଳାଙ୍କ ସ୍ୱାମୀ ପୋଲିସର ସହାୟତା ନେଇଥିଲେ। କରୋନାକୁ ଡରି ମହିଳା ୩ ବର୍ଷ ହେଲା ଘରୁ ବାହାରକୁ ବାହାରୁନଥିବା କଥା ସହଜରେ ପୋଲିସ ବିଶ୍ୱାସ ମଧ୍ୟ କରିନଥିଲା। ତେବେ ଭିଡିଓ କଲ କରି ପୋଲିସ ସାମ୍ନାରେ ତାଙ୍କ ସ୍ୱାମୀ କଥା ହେବା ପରେ ପୋଲିସ ବିଶ୍ୱାସ କରିଥିଲା ଓ ମହିଳାଙ୍କୁ ଘରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା।
ଆତ୍ମହତ୍ୟା ଧମକ ଦେଇଥିଲେ ମହିଳା
ପୋଲିସ ପହଞ୍ଚି ମହିଳାଙ୍କୁ କବାଟ ଖୋଲିବାକୁ କହିଥିଲେ। ତେବେ କରୋନା ଭୟରେ ମହିଳା କବାଟ ଖୋଲିନଥିଲେ। ତାଙ୍କୁ କରୋନା ଆଉ ନଥିବା ପୋଲିସ ବୁଝାଇଥିଲା। ହେଲେ ମହିଳା ବୁଝି ନଥିଲେ। ଏଥିରେ ପୋଲିସ ବଳ ପ୍ରୟୋଗ କରିବାକୁ ଚେଷ୍ଟା କରିବାକୁ ମହିଳା ଆତ୍ମହତ୍ୟା ଧମକ ଦେଇଥିଲେ। ଏଥିରେ ପୋଲିସ ଫେରିଯିବାକୁ ବାଧ୍ୟ ହୋଇଥିଲା ଓ ପରଦିନ ପୁରା ରଣନୀତି ପ୍ରସ୍ତୁତ କରି ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ମହିଳାଙ୍କ ଘରେ ପହଞ୍ଚି କବାଟ ଭାଙ୍ଗିମହିଳା ଓ ତାଙ୍କୁ ପୁଅକୁ ଉଦ୍ଧାର କରାଯାଇଛି।