ବାସ୍ତବିକ ଜୀବନରେ ‘ଜୁଦାଇ’ର ଝଲକ ! ସ୍ତ୍ରୀର ଦାବି- ଆପାର୍ଟମେଣ୍ଟ ଓ ଟଙ୍କା ଦେଲେ ସ୍ବାମୀଙ୍କୁ ବାହା ହେବେ ତାଙ୍କ ପ୍ରେମିକା

Published By : Prameya-News7 Bureau | January 06, 2021 IST

ଭୋପାଳ ୬/୧: ବହୁଚର୍ଚ୍ଚିତ ବଲିଉଡ ଫିଲ୍ମ ‘ଜୁଦାଇ’ର କାହାଣୀ ସିନେ ପ୍ରେମୀଙ୍କୁ ଆକୃଷ୍ଟ କରିଥିଲା। କିନ୍ତୁ ଏହି କାହାଣୀକୁ ବାସ୍ତବିକ ଜୀବନରେ ସତରେ ପରିଣତ କରିଛନ୍ତି ଜଣେ ମହିଳା। ଅନିଲ କପୁର, ଶ୍ରୀଦେବୀ ଓ ଉର୍ମିଳା ମାତୋଣ୍ଡକରଙ୍କ ଅଭିନୀତ ଫିଲ୍ମ ‘ଜୁଦାଇ’କୁ ପୁଣି ଥରେ ମନେ ପକାଇବାର ଅର୍ଥ ଜଣେ ମହିଳା ସତରେ ‘କାଜଲ’ ଚରିତ୍ରକୁ ନିଭଇଛନ୍ତି। ଫିଲ୍ମରେ କାଜଲ ତାଙ୍କ ସ୍ବାମୀଙ୍କୁ ଟଙ୍କା ଲୋଭରେ ଜଣେ ଧନୀ ଝିଅ ଜାହ୍ନଭୀଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ। ମଧ୍ୟପ୍ରଦେଶର ଏହି ମହିଳା ସମାନ ଢ଼ଙ୍ଗରେ ଟଙ୍କା ପାଇଁ ନିଜ ସ୍ବାମୀଙ୍କୁ ତାଙ୍କ ପ୍ରେମିକା ସହ ବିବାହ କରିବାକୁ ଅନୁମତି ଦେଇଛନ୍ତି।

ଦେଢ଼ କୋଟି ଟଙ୍କା ବଦଳରେ ନିଜ ସ୍ବାମୀଙ୍କୁ ଦେବାକୁ ରାଜି ହୋଇଗଲେ ମହିଳା। ପ୍ରେମିକାଙ୍କୁ ବିବାହ କରିବାକୁ ବି ସ୍ବାମୀଙ୍କୁ ଗ୍ରୀନ୍‌ ସିଗନାଲ୍‌ ଦେଲେ ମହିଳା। ତେବେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା ଯେତେବେଳେ ଦମ୍ପତିଙ୍କ ଛୋଟ ଝିଅ ଭୋପାଳର ଏକ ଫ୍ୟାମିଲ୍‌ କୋର୍ଟରେ ଅଭିଯୋଗ କଲେ। ଇଣ୍ଡିଆ ଟୁଡେର ଏକ ଖବର ଅନୁସାରେ ନାବାଳିକା ଜଣଙ୍କ ଅଭିଯୋଗ କ୍ରମେ ତାଙ୍କ ବାପାଙ୍କ ପରକୀୟା ପ୍ରୀତି ଯୋଗୁ ଘରେ ସବୁବେଳେ ଅଶାନ୍ତି ହେଉଛି। ଏଥିପାଇଁ ତାଙ୍କୁ ଓ ତାଙ୍କ ଭଉଣୀଙ୍କ ପଢ଼ାରେ ଅସୁବିଧା ହେଉଛି।

ପରେ ଦମ୍ପତିଙ୍କୁ କୋର୍ଟ ଡାକିଥିଲେ। କାଉନସେଲିଂ ପରେ ଜଣାପଡ଼ିଲା ବ୍ୟକ୍ତିଙ୍କର ଜଣେ ମହିଳା ସହଯୋଗୀଙ୍କ ସହ ପ୍ରେମ ସମ୍ପର୍କ ରହିଛି ଏବଂ ତାଙ୍କ ପ୍ରେମିକା ତାଙ୍କଠୁ ବୟସରେ ବଡ଼। ନିଜ ପତ୍ନୀଙ୍କୁ ଛାଡ଼ି ସେ ପ୍ରେମିକାଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ସ୍ବିକାର କରିଥିଲେ ବ୍ୟକ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଛାଡ଼ପତ୍ର ଦେବାକୁ ରାଜି ନଥିଲେ।

ଅନେକ ସମୟ ବୁଝାସୁଝା ପରେ ଦୁଇ ଜଣ ମଧ୍ୟରେ ବୁଝାମଣା ହୋଇଥିଲା। ପରେ ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ରାଜି ହୋଇଥିଲେ। ଏଥିପାଇଁ ସର୍ତ୍ତ ବି ଥିଲା ଅଜବ। ଯଦି ସ୍ବାମୀଙ୍କ ପ୍ରେମିକା ଗୋଟିଏ ଘର ଓ ୨୭ ଲକ୍ଷ ଟଙ୍କା ଦିଅନ୍ତି ତେବେ ସ୍ବାମୀଙ୍କୁ ନେଇପାରିବେ ବୋଲି ମହିଳା ଦାବି କରିଥିଲେ। ତେବେ ମହିଳା ମୋଟ ୧.୫ କୋଟି ଦାବି କରିଥିଲେ। ତେବେ ଏହି ଟଙ୍କା ନିଜ ଝିଅଙ୍କ ପଢ଼ାପଢ଼ି ପାଇଁ ମାଗିଥିଲେ ବୋଲି ମହିଳା କହିଥିଲେ।

ଯିଏ ତାଙ୍କୁ ବିବାହର ଦୀର୍ଘ ବର୍ଷ ପରେ ବି ଭଲ ପାଉନାହାନ୍ତି ତାଙ୍କ ସହ ରହିବା ଅପେକ୍ଷା ତାଙ୍କୁ ଛାଡ଼ି ଦେବା ଭଲ ବୋଲି କାଉନସେଲରଙ୍କୁ  ମହିଳା କହିଥିଲେ। ଟଙ୍କା ମିଳିବା ପରେ ଝିଅଙ୍କ ଯତ୍ନ ଭଲ ଭାବେ ନେଇପାରିବେ ଏବଂ ତାଙ୍କ ପାଖରେ ଆଉ ଜଣେ ମିଛୁଆ ସ୍ବାମୀ ବି ରହିବେନି ବୋଲି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ମହିଳା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.