ବେଙ୍ଗାଲୁରୁ ୧୭।୪: ଦେଶରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଚାଲାଣ କଟିବା ସାଧାରଣ କଥା। ଦୈନିକ ଟ୍ରାଫିକ ନିୟମ ଉଲ୍ଲଂଘନ ନିମନ୍ତେ ପୋଲିସ ଲକ୍ଷଲକ୍ଷ ଲୋକଙ୍କୁ ଚାଲାଣ ଧରାଉଛି। କିନ୍ତୁ ବେଙ୍ଗାଲୁରୁରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ। ଟ୍ରାଫିକ ପୋଲିସ୍ ପକ୍ଷରୁ ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ୧ଲକ୍ଷ ୩୬ ହଜାର ଟଙ୍କା ଚାଲାଣ କରାଯାଇଛି। କ୍ୟାମେରାରେ ଥିବା ଏହି ମହିଳାଙ୍କ ଛବିରୁ ବିନା ହେଲମେଟ୍ରେ ସେ କିପରି ୩ ଜଣକୁ ବସାଇ ନେବା ଆଣିବା କରୁଛନ୍ତି ଦେଖାଯାଉଛି।
ଗଣମାଧ୍ୟ ରିପୋର୍ଟ ଅନୁସାରେ ଏହି ମହିଳା ଥରେ କି ଦୁଇ ଥର ନୁହେଁ ୨୭୦ ଥର ଏପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଛନ୍ତି। ଯେଉଁଥି ପାଇଁ ପୋଲିସ ତାଙ୍କୁ ୧ଲକ୍ଷ ୩୬ ହଜାର ଟଙ୍କା ଚାଲାଣ ଦେଇଛି। ସଡ଼କରେ ଲାଗିଥିବା କ୍ୟାମେରାରେ ମହିଳାଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଯାହା ପରେ ତାଙ୍କର ଚାଲାଣ କରାଯାଇଛି। ସିସିଟିଭି ଫୁଟେଜରୁ ଦେଖାଯାଇପାରେ ଯେ ମହିଳା ହୋଣ୍ଡା ଆକ୍ଟିଭା ସ୍କୁଟର ଚଳାଉଛନ୍ତି। ତାଙ୍କ ଉପରେ ପୋଲିସ ଅନେକ କାରଣରୁ ଚାଲାଣ କରିଛି। ଏଥିରେ ସବୁଠୁ ଯାହା ମୁଖ୍ୟକାରଣ ତାହା ହେଉଛି ସେ ବିନା ହେଲମେଟ୍ରେ ସ୍କୁଟର ଚଳାଇବା।
ସେ କେବଳ ବିନା ହେଲମେଟରେ ନୁହେଁ ସଡ଼କର ରଙ୍ଗ ସାଇଡରେ ଗାଡି ଚଳାଇବା, ସ୍କୁଟର ଚଳାଇବା ବେଳେ ମୋବାଇଲରେ କଥା ହେବା ଓ ସିଗ୍ନାଲ ଜମ୍ପ କରିବା ଆଦି ତ୍ରୁଟି କରିଛନ୍ତି। ମହିଳାଙ୍କ ମାମଲା ଯେତେବେଳେ ପୋଲିସର ନଜରକୁ ଆସିଲା ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏଣୁ ପୋଲିସ କାର୍ଯ୍ୟାନୁଷ୍ଠାନ କରି ପ୍ରଥମେ ମହିଳାଙ୍କ ସ୍କୁଟରକୁ ଜବତ କରିଛି ଓ ତାଙ୍କୁ ୧ଲକ୍ଷ ୩୬ ହଜାର ଟଙ୍କାର ଚାଲାଣ ଦେଇଛି।