ମହିଳାଙ୍କ ଜଘନ୍ୟ କାଣ୍ଡ, ୨ ବର୍ଷର ଶିଶୁକନ୍ୟାକୁ କଚାଡି ମାରି ଦେଲା
6/07/2022 at 10:41 PM

ବାରିପଦା: ମୟୂରଭଞ୍ଜର ବେତନଟୀ ଥାନା ପୁରୁଣା ଲଙ୍ଗଳକଟା ଗ୍ରାମରେ ଘଟିଛି ଅଘଟଣ। ଘର ସାମ୍ନାରେ ଖେଳୁଥିବା ସମୟରେ ଛୁଆଟିକୁ ଉଠାଇ ନେଇ କଚାଡି ହତ୍ୟା କଲା ମହିଳା। ପୋଲିସ ଅଭିଯୁକ୍ତ ମହିଳା ସୁନି ସିଂ ଓ ତାଙ୍କ ସ୍ଵାମୀକୁ ଅଟକ ରଖିଛି ତଦନ୍ତ ଆରମ୍ଭ କରିଛି ବେତନଟୀ ପୋଲିସ ।
ସୂଚନା ଅନୁସାରେ ବେତନଟୀ ଥାନା ଅନ୍ତର୍ଗତ ସୁରେଇଡିହି ଗ୍ରାମର ଯାଦବ ମୁର୍ମୁଙ୍କ ଘରକୁ ବୁଲି ଆସିଥିଲା ସୁନି ସିଂ। ଯାଦବଙ୍କ ୨ବର୍ଷର ଝିଅ ରୂପାଲି ମୁର୍ମୁ ଖେଳୁଥିବା ବେଳେ ସମସ୍ତଙ୍କ ନଜର ଆଢୁଆଳରେ ସୁନି ଛୁଆକୁ ନେଇ ପାଖ ଜଙ୍ଗଲ କୁ ପଲାଇ ଯାଇଥିଲା। ବହୁ ସମୟ ଛୁଆ ନମିଳିବାରୁ ସମସ୍ତେ ଖୋଜାଖୋଜି କରି ଥିଲେ। ସୁନି ଛୁଆକୁ ନେଇ ଯାଉଥିବାର ପଡିଶାଙ୍କ ପାଖରୁ ସୂଚନା ପାଇ ଘରଲୋକେ ପାଖ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ। ସେଠାରେ ସୁନି ଛୁଆକୁ କଚାଡି ମାରୁଥିବା ବେଳେ ଗାଁର ଆଉ ଜଣେ ଲୋକ ଦେଖି ନେଇଥିଲେ।ସେ ଛୁଆକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳାକୁ ଧରି ରଖିଥିଲେ।
ପରିବାର ଲୋକ ସୁନିକୁ ଧରି ପୋଲିସ କୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ଛୁଆକୁ ବାରିପଦା ପି.ଆର.ଏମ. ଅଣାଯିବା ପରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।