ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ
16/02/2023 at 10:37 PM

ଖଲ୍ଲିକୋଟ: ସକାଳୁ ଘରକୁ ଫେରି ପତ୍ନୀଙ୍କୁ ଡାକିଥିଲେ ବ୍ୟବସାୟୀ ରାଧାଶ୍ୟାମ ଚୌଧୁରୀ। ହେଲେ ପତ୍ନୀ କବାଟ ନ ଖୋଲିବାରୁ ରାଧାଶ୍ୟାମ ଘର ଭିତରେ ପଶି ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଘର ଭିତରେ ପତ୍ନୀ ସୁପ୍ରଭା ଚୌଧୁରୀ(୫୧)ଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ଲୋଟୁଥିଲା। ସଙ୍ଗେ ସଙ୍ଗେ ବିଜୁଳି ବେଗର ଖବର ପ୍ରଘଟ ହୋଇଯାଇଥିଲା।
ଗଞ୍ଜାମ ଖଲିକୋଟ ଛତ୍ରପୁର ଥାନା ବିପୁଳିଙ୍ଗି ବଡ ସାହିରେ ଏଭଳି ଘଟଣା ଘଟିଛି। ରାଧାଶ୍ୟାମ ବ୍ୟବସାୟୀ ହୋଇଥିବାରୁ ସେ ରାତିରେ ଦୋକାନ ଘରେ ଶୋଇଥିଲେ। ୩ ପୁଅ ବାହାରେ ରହୁଥିବା ବେଳେ ପତ୍ନୀ ସୁପ୍ରଭା ଏକାକୀ ଘରେ ଶୋଉଥିଲେ।
ହେଲେ ଗୁରୁବାର ସକାଳୁ ସେ ଯେତେବେଳେ ଘରକୁ ପେରିଥିଲେ ପତ୍ନୀଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ତେବେ ପାରିପାର୍ଶ୍ୱିକ ପରିସ୍ଥିତିରୁ ସୁପ୍ରଭାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଚୋରି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରିଛି। ସୁପ୍ରଭା ଚୌଧୁରୀଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଚୋଟ ପଡିବା ସହ ହାତକୁ ମଧ୍ୟ ଆକ୍ରମଣ ହୋଇଥିଲା ଏପରିକି ତାଙ୍କର ଗୋଟିଏ କାନ ଗୋଟିଏ ଆଙ୍ଗୁଳି ଛିଣ୍ଡି ଘରେ ପଡିଥିଲା। ଦୁର୍ବୃତ୍ତମାନେ ସୁପ୍ରଭାଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେବା ସହ ଘରର କିଛି ସାମଗ୍ରୀ ମଧ୍ୟ ଚୋରି କରିନେଇ ଯାଇଥିବା ଅଭିଯୋଗ ହୋଇଛି।
ହତ୍ୟାକାଣ୍ଡ ବିଷୟରେ ଖବର ପାଇଁ ଛତ୍ରପୁର ଏସଡିପିଓ ଏସ୍ପି ଜଗନମୋହନ ମୀନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧାନୀ କୁକୁର ବୁଲାଇବା ସହ ପଡ଼ୋଶୀ ଓ ସଂପର୍କୀୟଙ୍କୁ ପଚରାଉଚରା ଜାରି ରହିଛି।