'ସି ଇଜ ନୋ ମୋର' କହି ଡାକ୍ତର ଫେରାଇଦେଲେ, ହେଲେ ୮ ଘଣ୍ଟା ପରେ ଉଠି ବସିଲେ ମହିଳା

Published By : Prameya-News7 Bureau | September 29, 2018 IST

ଗୁରୁଦାସପୁର ୨୯/୯ : ଜେଜେ ମା, ଜେଜେ ବାପା ବା ବୟସ୍କମାନେ ପିଲାଙ୍କୁ ଯମଦୂତ ସମ୍ପର୍କରେ ଅନେକ କାହାଣୀ କହିଥାନ୍ତି | ଯମଦୂତ ଆସି କେମିତି ନେଇଥାଏ ; ପୁଣି ଭୁଲରେ ନେଇଯାଇଥିଲା ବୋଲି କହି ଛାଡି ଦେଇଯାଏ | ଏସବୁ କାହାଣୀ ପିଲାଙ୍କୁ ଆନନ୍ଦ ଦେଇଥାଏ | ହେଲେ ଏମିତି ଏକ ଘଟଣା ବାସ୍ତବରେ ଘଟିଛି ହରିୟାଣାର ଗୁରୁଦାସପୁର ଜିଲ୍ଲ ଅନ୍ତର୍ଗତ ମୋହାଲ୍ଲା ଇସ୍ଲାମଵାଦ ଠାରେ | ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ସୂଚନାଯୋଗ୍ୟ ଯେ, ମୋହାଲ୍ଲା ଇସ୍ଲାମଵାଦରେ ୪୫ ବର୍ଷ ବୟସ୍କା ମହିଳା ବିରୋ ଦେବୀ ରହନ୍ତି | ସେ ମଧୁମେହ ରୋଗରେ ପୀଡିତା | ଗତ ସୋମବାର ରାତିରେ ହଠାତ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା | ଫଳରେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ସିଭିଲ ହସ୍ପିଟାଲକୁ ନେଇଯାଇଥିଲେ | ହସ୍ପିଟାଲରେ ମହିଳାଙ୍କ ପ୍ରାଥମିକ ପରୀକ୍ଷା କରି ଡାକ୍ତର କହିଥିଲେ ଯେ, 'ସି ଇଜ ନୋ ମୋର', ତାଙ୍କୁ ନେଇଯାଆନ୍ତୁ | ବିରୋ ଦେବୀଙ୍କ ମୃତ୍ୟୁ ଖବର ପରିଜନମାନେ ପାଇବା ପରେ ଘରେ ଆସି ପହଂଚିଥିଲେ | ବିରୋ ଦେବୀଙ୍କ ମରଶରୀରକୁ ପରମ୍ପରା ଅନୁସାରେ ଭୂଇଁରେ ଶୁଆଇ ଦିଆଯାଇଥିଲା | ମୁଣ୍ଡ ପାଖରେ ଦୀପ ଲଗାଯାଇଥିଲା | ଧୂପକାଠି ଜଳାଯାଇଥିଲା | ପରିଜନମାନେ ପହଂଚି ଶୋକ ପ୍ରକାଶ କରୁଥିଲେ | ପରିବାର ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଡରେ ଲାଗିଥିଲେ | ୟା ଭିତରେ ପ୍ରାୟ ୮ ଘଣ୍ଟା ବିତିଯାଇଥିଲେ | ପଡୋଶୀ ଜଣେ ମହିଳା ବିରୋ ଦେବୀଙ୍କ ଶେଷ ଦର୍ଶନ କରିବାକୁ ଆସି ଉଚ୍ଚ ସ୍ୱରରେ କାନ୍ଦିବା ସହ ବିରୋ ଦେବୀଙ୍କ ଛାତି ଉପରେ ଲୋଟି ପଡ଼ିଥିଲେ | ନିଜ ଭାବପ୍ରବଣତାକୁ ନିୟନ୍ତ୍ରଣ କରିନପାରି ବିରୋ ଦେବୀଙ୍କ ଛାତିକୁ ଜୋର ଜୋରରେ ପିଟିଥିଲେ | ଏତିକିବେଳେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା | ବିରୋ ଦେବୀ ହଠାତ ନିଦରୁ ଉଠିବା ଭଳି ଉଠି ବସିପଡିଥିଲେ | ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବା ବେଳେ ବିରୋ ଦେବୀ କହିଥିଲେ ଯେ, ଯମଦୂତମାନେ ମତେ ଭୁଲରେ ନେଇଯାଇଥିଲେ | ଅସଲରେ ପାଖ ସାହିର ଜଣକୁ ନେବାର ଥିଲା | ବିରୋ ଦେବୀଙ୍କ ଏଭଳି ଉକ୍ତିକୁ ନେଇ ପରିଜନମାନେ ହସିବେ କି କାନ୍ଦିବେ ଜାଣିପାରିନଥିଲେ | ତେବେ ତୁରନ୍ତ ତାଙ୍କୁ ପୁଣି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ବର୍ତ୍ତମାନ ତାଙ୍କର ମଧୁମେହ ଚିକିତ୍ସା ଚାଲିଛି | ତେବେ ମୃତବ୍ୟକ୍ତି କିଭଳି ୮ ଘଣ୍ଟା ପରେ ପୁଣି ବଂଚିଗଲେ ତାକୁ ନେଇ ସମଗ୍ର ସହରରେ ଚର୍ଚ୍ଚା ଲାଗିରହିଛି | ତାଙ୍କୁ ଦେଖିବା ପାଇଁ ବହୁ ଲୋକ ସିଭିଲ ହସ୍ପିଟାଲରେ ପହଂଚିଛନ୍ତି | ଅପରପକ୍ଷରେ ମରିବା ଲୋକ ବଂଚିବା ଭଳି ଚମତ୍କାର ଏକ କଳ୍ପନା ମାତ୍ର ବୋଲି ସିଭିଲ ହସ୍ପିଟାଲର ଜଣେ ହୃଦରୋଗୀ ବିଶେଷଜ୍ଞ କହିଛନ୍ତି | ବିରୋ ଦେବୀଙ୍କୁ କୋଉ ପରିପେକ୍ଷିରେ ଡ୍ୟୁଟିରେ ଥିବା ଡାକ୍ତର ମୃତ ଘୋଷଣା କଲେ ତାର ତଦନ୍ତ ହେବ ବୋଲି ହସ୍ପିଟାଲର ସିଏମଓ କହିଛନ୍ତି | ହୃଦ୍ରୋଗ ବିଶେଷଜ୍ଞ କହିଛନ୍ତି ଯେ, ବିରୋ ଦେବୀ ଉତ୍କଟ ମଧୁମେହ ରୋଗରେ ପୀଡିତ | ସୁଗାର ମାତ୍ରା ପ୍ରଚଣ୍ଡ ଭାବେ ହ୍ରାସ ପାଇବା କାରଣରୁ ସେ ବେହୋସ ହୋଇଯାଇପାରନ୍ତି | ବେହୋସି ଅବସ୍ଥାକୁ ଡାକ୍ତର ଠିକରେ ଅନୁଧ୍ୟାନ ନକରି ମୃତ ବୋଲି ବିବେଚନା କରିଥାଇପାରନ୍ତି | ତେବେ ମୃତ୍ୟୁ ବୋଲି ଜାଣିବା ପାଇଁ ଏସିଜି କରିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.