ମହିଳାଙ୍କୁ ନିର୍ମମ ଭାବେ ହତ୍ୟାକରି କୁକୁରକୁ ଖାଇବାକୁ ଦିଏ ତାଲିବାନ୍ ; ଅଳ୍ପକେ ବର୍ତ୍ତି ଯାଇଥିବା ମହିଳା ବଖାଣିଲେ ନୃଶଂସତା ଓ ବର୍ବରତାର କାହାଣୀ

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮ : ଆଫଗାନିସ୍ତାନ କବ୍‌ଜା କରି ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛି ତାଲିବାନ । ଭୟଙ୍କର ତାଲିବାନୀ ସରକାରକୁ ନେଇ ସେଠାକାର ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଯିଏ ଯେଉଁ ଆଡକୁ ପାରୁଛନ୍ତି ପଳାଉଛନ୍ତି । ତାଲିବାନୀ ବର୍ବରତା କେତେ ଭୟଙ୍କର ଏହାକୁ କେବଳ ସେହିମାନେ ହିଁ ବୁଝିପାରିବେ ଯେଉଁମାନେ ଏହାକୁ ଅଙ୍ଗେ ନିଭାଇଛନ୍ତି। ତାଲିବାନ କେତେ କଠୋର ଓ ନିର୍ଦ୍ଦୟ ସେମାନଙ୍କ କାର୍ଯ୍ୟକଳାପକୁ ଦେଖିଥିବା ଜଣେ ଆଫଗାନିସ୍ତାନ ମହିଳା ମୁହଁ ଖୋଲିଛନ୍ତି ।

ଆଫଗାନ ଉପରେ କବଜା କରିବା ପରେ ତାଲିବାନ କହିଥିଲା ଯେ ମହିଳାଙ୍କ ପାଇଁ ଦେଶରେ ସବୁ ପ୍ରକାରର ସ୍ୱାଧୀନତା ରହିଛି। କିନ୍ତୁ ଏହି ତାଲିବାନ ଆକ୍ରମଣର ଶିକାର ହୋଇ ଅଳ୍ପକେ ବଞ୍ଚି ଯାଇଥିବା ଉକ୍ତ ମହିଳା ଜଣକ ବିକଳ ଛବିକୁ ବର୍ଣ୍ଣନା କରିଛନ୍ତି । ସେ ଯାହା କହିଛନ୍ତି ତାହା କୌଣସି ନୃଶଂସତା ତଥା ଲୋମହର୍ଷଣକାରୀ କାହାଣୀ ଠାରୁ କମ ନୁହେଁ। ତାଲିବାନ ମହିଳାମାନଙ୍କୁ ଦଣ୍ଡ ସ୍ୱରୂପ ସେମାନଙ୍କୁ ହତ୍ୟା କରୁଥିଲା। ଏହାପରେ ସେମାନଙ୍କ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେଉଥିଲା । ଖାଲି ଏତିକି ନୁହେଁ, ମହିଳାଙ୍କ ଆଖି ତାଡ଼ିବା ଭଳି କାର୍ଯ୍ୟ ମଧ୍ୟ କରିବାରେ ତାଲିବାନୀମାନେ ପଛାନ୍ତି ନାହିଁ। ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାରର କାହାଣୀ ବିଷୟରେ ଦିଲ୍ଲୀରେ ରହୁଥିବା ଜଣେ ଆଫଗାନ ମହିଳା ଖାତେରା କହିଛନ୍ତି।

{"id":498317,"width":816,"height":544,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ ଆଫଗାନର ଗଜନି ପ୍ରଦେଶରେ ରହୁଥିବା ୩୩ ବର୍ଷୀୟ ଖତେରା ୨୦୨୦ ଅକ୍ଟୋବରରେ ତାଲିବାନ ବର୍ବରତାର ଶିକାର ହୋଇଥିଲେ। ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଗୁଳି ମାଡ଼ କରିଥିଲେ। କିନ୍ତୁ ସେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଏନେଇ ଖତେରା କହିଛନ୍ତି କି, ତାଲିବାନୀଙ୍କ ନଜରରେ ମହିଳାମାନେ କେବଳ ଗୋଟିଏ ଗୋଟିଏ କଣ୍ଢେଇ। ମହିଳାମାନଙ୍କର ଜୀବନ ନାହିଁ ବୋଲି ତାଲିବାନୀମାନେ ଭାବିଥାନ୍ତି । ସେମାନେ କେବଳ ମହିଳାମାନଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଜାଣିଛନ୍ତି।

ଖତେରା ଗଜନି ପ୍ରଦେଶର ପୁଲିସ୍ ବିଭାଗରେ କାମ କରୁଥିଲେ। ଏହି ଘଟଣା ଦିନ ସେ ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ବାଇକରେ ୩ ଜଣ ତାଲିବାନୀ ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଖାତେରାଙ୍କ ଆଇଡି ଚେକ୍ କରିଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ। ତାଙ୍କ ଶରୀରରେ ୮ଟି ଗୁଳି ବାଜିଥିଲା । କେବଳ ସେତିକି ନୁହେଁ  ଆତଙ୍କବାଦୀମାନେ ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରିଥିଲେ । ସେ ବେହୋସ ହୋଇଯିବା ପରେ ତାଙ୍କ ଆଖିକୁ ଛୁରୀରେ ଆକ୍ରମଣ କରି ସେହି ଅବସ୍ଥାରେ ଛାଡି ଚାଲିଯାଇଥିଲେ ଆତଙ୍କୀ । ଆକ୍ରମଣର ଶିକାର ହେବା ବେଳେ ୨ ମାସର ଗର୍ଭବତୀ ଥିଲେ ଖତେରା । ଏହା ସହ ସେ ଆହୁରୀ କହିଥିଲେ କି ତାଙ୍କ ବାପା ତାଲିବାନର ଜଣେ ସଦସ୍ୟ ଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ତାଙ୍କ ବାପାଙ୍କ ହାତ ଥିଲା ।  ଘଟଣା ପରେ ପ୍ରଥମେ ସେ କାବୁଲ ଓ ପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ପାଖରେ କିଛି ଟଙ୍କା ଥିବାରୁ ସେ ନିଜ ସ୍ୱାମୀ ଓ ପିଲା ସହ ଦିଲ୍ଲୀରେ ରହି ଚିକିତ୍ସିତ ହୋଇପାରୁଛନ୍ତି।

ଏହା ବ୍ୟତୀତ ସେ କହିଛନ୍ତି କି, ‘ମୁଁ ଭାଗ୍ୟଶାଳୀ ଥିବାରୁ ଏପରି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ତାଲିବାନମାନେ ପ୍ରଥମେ ଆମକୁ ପ୍ରତାଡ଼ିତ କରୁଥିଲେ। ଏହାପରେ ଦଣ୍ଡ ସ୍ୱରୂପ ସାଧାରଣ ଲୋକଙ୍କୁ ଖିନଭିନ କରି ପକାଉଥିଲେ। ବେଳେବେଳେ ସେମାନେ ଏତେ ନୃଶଂସ ପାଲଟି ଯାଉଥିଲେ ଯେ ମହିଳାମାନଙ୍କୁ ହତ୍ୟା କରିବା ପରେ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ ।  ଆଫଗାନରେ ତାଲିବାନୀ ଅଧୀନରେ ରହିବା ମରଣଯନ୍ତ୍ରଣା ଠାରୁ କିଛି କମ ନୁହେଁ। ସେମାନେ ବିଶେଷ କରି ମହିଳା, ଛୋଟ ପିଲା ଓ ସଂଖ୍ୟାଲଘୁ ମୁସଲିମଙ୍କ ସହ ଅତ୍ୟାଚାର କରନ୍ତି’ ।

{"id":498318,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.