ହୋଟେଲ୍‌ରେ ହେୟାରଡ୍ରାୟର ବ୍ୟବହାର କରିବା ପଡିଲା ମହଙ୍ଗା, ମହିଳାଙ୍କୁ ଦେବାକୁ ପଡିଲା ୧୪୦୦ ଡଲାରର ଜରିମାନା

Published By : Prameya-News7 Bureau | December 18, 2023 IST

ମୁମ୍ଵାଇ ୧୮।୧୨: ଅଷ୍ଟ୍ରେଲିଆର ଏକ ହୋଟେଲରେ ହେୟାରଡ୍ରାୟର ବ୍ୟବହାର କରିବା ଯୋଗୁ ଜଣେ ମହିଳାଙ୍କୁ ଭାରତୀୟ ମୁଦ୍ରାରେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଛି । ଘଟଣାଟି ଏହିପରି ମହିଳା ଜଣଙ୍କ ଏକ କନ୍‌ସର୍ଟରେ ଯୋଗ ଦେବାକୁ ଗତ ଶନିବାର ଅଷ୍ଟ୍ରେଲିଆର ପର୍ଥ ସହରକୁ ଯାଇଥିଲେ । ସେଠାରେ ଏକ ପ୍ରସିଦ୍ଧ ହୋଟେଲରେ ସେ ରାତିରେ ରହିଥିଲେ । ତେବେ କନ୍‌ସର୍ଟ ଲାଗି ପ୍ରସ୍ତୁତ ହେଉଥିବା ସମୟରେ କେଶସଜ୍ଜା କରିବା ପାଇଁ ନିଜର ଏକ ଦାମୀ ହେୟାର ଡ୍ରାୟରକୁ ବ୍ୟବହାର କରିଥିଲେ । ସେ କେଶ ଡ୍ରାଏ ଆରମ୍ଭ କରିବା ମାତ୍ରେ ହୋଟେଲର ଫାୟାର ଆଲାର୍ମ ବାଜିଥିଲା । କେଇ ମିନିଟ୍‌ ମଧ୍ୟରେ ଅଗ୍ନିଶମ ବିଭାଗର ଏକ ଟିମ୍‌ ତାଙ୍କ କୋଠରୀରେ ପହଞ୍ଚିଥିଲେ ।

ଏହାପରେ ହୋଟେଲର ଜରୁରିକାଳୀନ ସେବା ବିଭାଗ ପକ୍ଷରୁ କେଲିଙ୍କର ହେୟାର ଡ୍ରାୟର ଯୋଗୁ ଏହି ଆଲାର୍ମ ବାଜିଥିବା ସେମାନଙ୍କୁ ଅବଗତ କରାଯାଇଥିଲା । ପରଦିନ କେଲି ହୋଟେଲରୁ ଚେକ୍‌ ଆଉଟ୍‌ କରିଥିଲେ । ୩ ଦିନ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଭାରତୀୟ ମୁଦ୍ରାରେ ପ୍ରାୟ ୧,୧୦,୦୦୦ ଟଙ୍କା କଟିଯାଇଥିବା ସେ ଜାଣିବାକୁ ପାଇଲେ । ଆକାଉଣ୍ଟରୁ ହଠାତ୍‌ ଏତେ ଟଙ୍କା କଟିଯିବାରୁ ସେ ବ୍ୟସ୍ତ ହୋଇ କାରଣ ଅନୁସନ୍ଧାନ କରିବାରୁ ପର୍ଥର ହୋଟେଲ କର୍ତ୍ତୃପକ୍ଷ ଏହି ଟଙ୍କା କାଟିନେଇଥିବା ଜଣାପଡିଲା । ମିଥ୍ୟା ଫାୟାର ଆଲାର୍ମ ବାଜିଥିବାରୁ ଜରିମାନା ବାବଦରେ ସେହି ଟଙ୍କା କଟାଯାଇଥିବା ହୋଟେଲ କର୍ତ୍ତୃପକ୍ଷ କହିଲେ । ସେଦିନ କେଲି ହୋଟେଲରୁ ଟଙ୍କା ଫେରିପାଇବା ଲାଗି ଫୋନ୍‌ ଏବଂ ଇ-ମେଲ୍‌ କରିଚାଲିଲେ । କିନ୍ତୁ କିଛି ଜବାବ ମିଳିଲା ନାହିଁ ।

ସେଠାକାର ଏକ ସ୍ଥାନୀୟ ଗଣମାଧ୍ୟମ ପର୍ଥ ନାଓ ଅନୁସାରେ, ୨୦୧୫ରେ ସହରରେ ମିଥ୍ୟା ଆଲାର୍ମ ଲାଗି ଜରିମାନା ବ୍ୟବସ୍ଥା ଅଣାଯାଇଥିଲା । ସେ ଅନୁସାରେ, ଯଦି କୌଣସି ସ୍ଥାନରେ ପ୍ରଥମ ୩ ଥର ମିଥ୍ୟା ଆଲାର୍ମ ବାଜେ, ତା ହେଲେ ସେଥିନେଇ କୌଣସି ଟଙ୍କା ଦେବାକୁ ପଡିବନାହିଁ । କିନ୍ତୁ ଯଦି ଚତୁର୍ଥ ଥର ଆଲାର୍ମ ବାଜେ ତାହେଲେ ପ୍ରପର୍ଟିର ମାଲିକ ଫାୟାର ଆଲାର୍ମ ଲାଗି ଦାୟୀ ହୋଇଥାନ୍ତି । ପ୍ରପର୍ଟି ମାଲିକଙ୍କୁ ଜରିମାନା ଦେବାକୁ ହୋଇଥାଏ । ତେବେ ଅଧିକାଂଶ କ୍ଷେତ୍ରରେ ପ୍ରପର୍ଟି ମାଲିକମାନେ ଜରିମାନାକୁ ଜଣେ ତୃତୀୟ ପକ୍ଷଙ୍କ ନିକଟରୁ ନେଇଥାନ୍ତି ଯାହାକି କେଲିଙ୍କ ସହ ଘଟିଛି । ସେପଟେ ହୋଟେଲ୍‌ କର୍ତ୍ତୁପକ୍ଷଙ୍କ ସହ ବହୁତ ଯୁକ୍ତିତର୍କ ହେବାପରେ ଶେଷରେ ସେମାନେ କେଲିଙ୍କୁ ଟଙ୍କା ଫେରସ୍ତ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.