ସାକ୍ଷୀ ଥିଲେ ସୂର୍ଯ୍ୟ, ଦେଖୁଥିଲା ପାହାଡ଼ ! ପ୍ରେମିକର ପ୍ରେମ ନିବେଦନ ପରେ ୬୫୦ ଫୁଟ୍‌ ଉଚ୍ଚରୁ ତଳକୁ ଖସିପଡ଼ିଲେ ପ୍ରେମିକା

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୦୧/୦୧: ପ୍ରେମକୁ ବଞ୍ଚାଇବା ପାଇଁ ପ୍ରକୃତି କବଚ ସାଜିପାରେ ! ମୁହୂର୍ତ୍ତକରେ ଶେଷ ହେବାକୁ ଯାଉଥିବା ପ୍ରେମ କାହାଣୀରେ ଟ୍ବିଷ୍ଟ ଭରିଲା ପ୍ରକୃତି। ପ୍ରେମ ନିବେଦନ କରିବା ପାଇଁ ମୁହୂର୍ତ୍ତ ସଜେଇ ହୋଇ ସାରିଥିଲା। ସୂର୍ଯ୍ୟ ପଶ୍ଚିମ ଆକାଶରେ ଅସ୍ତ ଯିବାକୁ ପ୍ରସ୍ତୁତ ହେଉଥିଲେ। ପ୍ରେମ ନିବେଦନର ସାକ୍ଷୀ ହେବାକୁ ବି ରାଜି ଥିଲା ପାହାଡ଼ ଶୀର୍ଷ। ବାସ୍‌ ଏଭଳି ଏକ ମୁହୂର୍ତ୍ତରେ ପ୍ରେମିକଟି ତାର ମନର ମଣିଷ ହାତ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ପ୍ରେମ ନିବେଦନ କରିଥିଲା।

ପ୍ରେମିକାଟି ଖୁସିରେ ନିବେଦନକୁ ସ୍ବିକାର ସହ ବଡ଼ ହଁ ଟିଏ ମାରିଥିଲା। ନିଷ୍ପତ୍ତିକୁ ସମ୍ମତି ଜଣାଇବାକୁ ଯାଇ ପ୍ରେମିକାଟି ହଁ ଭରିବା ବେଳେ ପାହଡ଼ ଶୀର୍ଷରୁ ପାଦ ଖସିଯାଇଥିଲା। ପ୍ରେମିକ କିଛି ବୁଝିବା ପୂର୍ବରୁ ପ୍ରେମିକା ସିଧା ତଳେ ପଡ଼ିଥଲେ। କିନ୍ତୁ ତଳେ ସଜେଇ ହୋଇ ରହିଥିବା ବରଫ ଗଦା ଉପରେ ପଡ଼ିବାରୁ ପ୍ରେମିକାର ଜୀବନ ବଞ୍ଚିଯାଇଛି।

ଅଷ୍ଟ୍ରିଆର କାର୍ନିଥିଆରେ ଅବସ୍ଥିତ ଫଲକାର୍ଟ ପର୍ବତ ଶୀର୍ଷରେ ପାଖାପାଖି ୬୫୦ ଫୁଟ୍‌ ଉପରେ ୨୭ ବର୍ଷୀୟ ପ୍ରେମିକ ତାଙ୍କର ୩୨ ବର୍ଷୀୟା ପ୍ରେମିକାଙ୍କୁ ପ୍ରେମ ନିବେଦନ କରିବାକୁ ନେଇଥିଲେ। ଯୁବକଙ୍କ ନିବେଦନକୁ ସ୍ବିକାର କରିବା ସହ ଖୁସିରେ ହଁ ଭରି ଗୋଟିଏ ପାଦ ପଛକୁ ଫେରୁଥିଲେ ଯୁବତୀ । ହଠାତ ତାଙ୍କ ପାଦ ଖସିଯାଇଥିଲାଓ ସେ ୨୦୦ ଫୁଟ ତଳକୁ ଖସିପଡ଼ିଥିଲେ। ଏହାକୁ ଦେଇ ପ୍ରେମିକାଙ୍କୁ ବଞ୍ଚାଇବାକୁ ତଳକୁ ଡେଇଁପଡ଼ିଥିଲେ ଯୁବକ। କିନ୍ତୁ ଯୁବକ ଜଣଙ୍କ ୫୦ ଫୁଟ୍‌ ତଳେ ହିଁ ଅଟକି ଯାଇଥିଲେ।

୨୦୦ ମିଟର ତଳକୁ ଖସି ବରଫ ଆଚ୍ଛାଦିତ ଚଟ୍ଟାଣରେ ପଡ଼ିଯାଇଥିଲେ ଯୁବତୀ। ଏହି ସ୍ଥାନ ଲଭ୍‌ ବାର୍ଡଙ୍କ ଆଗମନ ପାଇଁ ବେଶ ଖ୍ୟାତି ଅର୍ଜନ କରିଥିବାରୁ ଉଦ୍ଧାରକାରୀ ଟିମ୍‌ ମଧ୍ୟ ଏଠାରେ ସଜାଗ ରୁହନ୍ତି। ସେଦିନ ମଧ୍ୟ ଏହି ଦୃଶ୍ୟ ଉଦ୍ଧାରକାରୀ ଦଳଙ୍କ ନଜରରେ ପଡ଼ିଥିଲା। ସେମାନେ ଉଭୟ ଯୁବକ ଓ ଯୁବତୀଙ୍କୁ ସୁରକ୍ଷତି ଉଦ୍ଧାର କରିଥିଲେ। ମିଳିଥିବା ସୂଚନା ଅନୁସାରେ ଉଭୟ ଯୁବକ ଓ ଯୁବତୀଙ୍କୁ ଆଘାତ ଲାଗିଥିବା ବେଳେ ସେମାନେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.