ଗୁଜୁରାଟରେ ମଦ ବ୍ୟାନ୍ କିନ୍ତୁ ବଢୁଛି ମହିଳା ମଦ୍ୟପଙ୍କ ସଂଖ୍ୟା, ୫ ବର୍ଷରେ କମିଛନ୍ତି ପୁରୁଷ ମାତାଲି

Published By : Prameya-News7 Bureau | January 12, 2021 IST

ଅହମ୍ମଦାବାଦ,୧୨/୦୧: ସାରା ରାଜ୍ୟରେ ମଦ ଉପରେ ବ୍ୟାନ୍ ଲଗାଇଛି ଗୁଜୁରାଟ । ସାବାସୀ ମଧ୍ୟ ସାଉଣ୍ଟୁଛି  । କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଏଠାରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ନ୍ୟାସନାଲ ଫ୍ୟାମିଲୀ ହେଲ୍‌ଥ ସର୍ଭେ ୨୦୧୯-୨୦ରୁ ଏହି ତଥ୍ୟ ବାବଦରେ ଜଣାପଡିଛି। ବର୍ତ୍ତମାନ ରାଜ୍ୟରେ ୦.୬% ମହିଳା ଏବଂ ୫.୮% ପୁରୁଷ ମଦ୍ୟପାନ କରୁଥିବା ସର୍ଭେରୁ ଜଣାପଡ଼ିଛି ।

୨୦୧୫ରେ ଗୁଜରାଟରେ ୦.୩% ମହିଳା ମଦ୍ୟପ ଥିବା ବେଳେ ୧୧.୧% ପୁରୁଷ ମଦ୍ୟପ ଥିଲେ । ଅର୍ଥାତ୍‌ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ପୁରୁଷ ମଦ୍ୟପଙ୍କ ସଂଖ୍ୟା ପାଖାପାଖି ଅଧା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ୨୦୧୫ରେ ୦.୧% ସହରୀ ମହିଳା ମଦ୍ୟପାନ କରୁଥିଲେ । କିନ୍ତୁ ୨୦୨୦ରେ ସହରୀ ମଦ୍ୟପ ମହିଳାଙ୍କ ସଂଖ୍ୟା ୦.୩%କୁ ବୃଦ୍ଧି ପାଇଛି ।

ସେହିଭଳି ୨୦୧୫ରେ ରାଜ୍ୟରେ ୧୦.୬% ସହରରେ ରହୁଥିବା ପୁରୁଷ ମଦ୍ୟପାନ କରୁଥିବା ଜଣାପଡ଼ିଥିଲା । ୨୦୨୦ରେ ଏହି ସଂଖ୍ୟା ୪.୬%କୁ ହ୍ରାସ ଘଟିଛି । ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ୫ ବର୍ଷ ତଳେ ୦.୪% ମହିଳା ମଦ୍ୟପ ଥିବା ବେଳେ ଏବେ ଏହା ୦.୮%କୁ ବୃଦ୍ଧି ପାଇଛି । ସେହିଭଳି ଗ୍ରାମୀଣ ଅଞ୍ଚଳରେ ରହୁଥିବା ପୁରୁଷ ମଦ୍ୟପଙ୍କ ସଂଖ୍ୟା ୫ ବର୍ଷ ତଳେ ୧୧.୪% ଥିବା ବେଳେ ଏବେ ଏହା ୬.୮% ରହିଥିବା ସର୍ଭେରୁ ଖୁଲାସା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.