ମାତିଲା ମାଙ୍କଡ : ଆକ୍ରମଣରେ ଜଣେ ମହିଳା ମୃତ, ୪ଗୁରୁତର

Published By : Prameya-News7 Bureau | May 09, 2020 IST

ମେଣ୍ଢାଶାଳ ୦୯।୦୫: ଚନ୍ଦକା ଥାନା ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମରେ ମାଙ୍କଡ଼ କାମୁଡ଼ାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କମଳି ମାଝି(୬୦) । ଏହି ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ ।

ସୂଚନା ଅନୁସାରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଜଣେ ସମ୍ପର୍କୀୟଙ୍କ ସହିତ ବାଇକରେ ବସି ଯାଉଥିଲେ କମଳି । ହଠାତ୍‌ ଏକ ହନୁ ମାଙ୍କଡ଼ ତାଙ୍କ ଉପରକୁ ଲମ୍ଫ ମାରିଥିଲା । କମଳି ବାଇକ୍‌ ସହିତ ରାସ୍ତାରେ ପଡିଯାଇଥିଲେ । ମାଙ୍କଡ଼ଟି କମଳିଙ୍କୁ କାମୁଡ଼ି କ୍ଷତାକ୍ତ କରିପକାଇଥିଲା । ସାଙ୍ଗରେ ଥିବା ବାଇକ୍‌ ଆରୋହୀ ଓ ଗ୍ରାମବାସୀ ହୋହଲ୍ଲା କରିବାରୁ ମାଙ୍କଡ଼ ପଳାଇଥିଲା । କମଳିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ କ୍ୟାପିଟାଲ ହସପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମାଙ୍କଡ଼ଟି କମଳିଙ୍କୁ ଆକ୍ରମଣ କରିବା ପରେ ଗାଁର ଅନ୍ୟ ୪ ଜଣଙ୍କୁ ମଧ୍ୟ କାମୁଡ଼ି କ୍ଷତାକ୍ତ କରିଥିବା ସୂଚନା ମିଳିଛି । ବନ ବିଭାଗକୁ ଏବିଷୟରେ ଲୋକେ ଖବର ଦେଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ବନ ବିଭାଗ ମାଙ୍କଡ଼ଟିକୁ କାବୁ କରିପାରିନଥିଲା । ସୂଚନାଯୋଗ୍ୟ ଏହି ହନୁ ମାଙ୍କଡ଼ଟି ଗିରିଙ୍ଗାପୁଟ ଗ୍ରାମରେ ଅନେକ ଦିନରୁ ଉତ୍ପାତ ଚଳାଇ ଆସୁଛି । କେବେ କେବେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ମଧ୍ୟ କରୁଛି । ଲୋକେ ବାରମ୍ବାର ଏନେଇ ଅଭିଯୋଗ କରିଥିଲେ ବି ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.