ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ରାସ୍ତାରୁ ଟେକିନେଲେ ଦୁଇ ଦୁର୍ବୃତ୍ତ : ପରିତ୍ୟକ୍ତ ଘରେ ଗଣଦୁଷ୍କର୍ମ, ପୀଡିତା ଗୁରୁତର

Published By : Prameya-News7 Bureau | February 22, 2020 IST

ଭଦ୍ରକ ୨୨।୨: ମହାଶିବରାତ୍ରିରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜନୈକ ମହିଳା ଜାଗର ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ । ଭଗବାନ ଶିବଙ୍କୁ ଦର୍ଶନ ସାରି ଫେରିବାବେଳେ ରାସ୍ତାରୁ ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ ନିକଟ ଏକ ପରିତ୍ୟକ୍ତ ଘରକୁ ଟେକି ନେଇଯାଇଥିଲେ । ସେଠାରେ ସେମାନେ ମହିଳାଙ୍କ ମୁଁହରେ କପଡା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମହିଳା ଜଣଙ୍କ ଚିତ୍କାର କରିବାରୁ ଯୁବକ ଦୁଇ ଜଣ ଘଟଣାସ୍ଥଳ ଛାଡି ପଳାଇଯାଇଥିଲେ । ସ୍ଥାନୀୟ ଲୋକେ ମହିଳାଙ୍କ ଚିତ୍କାର ଶୁଣି ଭଣ୍ଡାରିପୋଖରୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

ସପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସୂଚନା ମିଳିଛି । ଏତଲା ଆଧାରରେ ଭଣ୍ଡାରିପୋଖରୀ ପୋଲିସ ଦୁଇ ଜଣ ଅଜଣା ଯୁବକଙ୍କ ନାଁରେ ମାମଲା ରୁଜୁ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.