"ବହୁତ ଦିନ ହେଲା ଶୋଇନି, ନିଦ ଲାଗୁନଥିଲା, ଏବେ ଶୋଇବା ପାଇଁ ଚାହୁଁଛି" ସୂଈସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ମହିଳା

Published By : Prameya-News7 Bureau | November 24, 2018 IST

"ମୁଁ ବହୁତ ଦିନ ହେଲା ଶୋଇନି, ନିଦ ହେଉନଥିଲା | ଏବେ କିନ୍ତୁ ଶାନ୍ତିରେ ଶୋଇବାକୁ ଚାଁହୁଛି |" ସୂଈସାଇଡ ନୋଟରେ ଏମିତି ଲେଖି ଜଣେ ବିବାହିତା ମହିଳା ପଙ୍ଖାରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ | ନିଜ ସୂଈସାଇଡ ନୋଟରେ ସେ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନଥିଲେ | ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ହଇରାଣ କରୁଥିବା ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଥିଲେ | ମୃତ ମହିଳା ହେଲେ ୨୮ ବର୍ଷ ବୟସ୍କା ହରପ୍ରିତ କୌର | ମହିଳାଙ୍କ ବାପା ଘର ହରିୟାଣାର ଯମୁନାନଗର ଅଂଚଳରେ | ସେ ୫ ବର୍ଷ ପୂର୍ବରୁ ଗୁର୍ଦାସପୁର ନିବାସୀ ମୋହିତଙ୍କୁ ବିବାହ କରିଥିଲେ | ଉଭୟଙ୍କ ଦୁଇଟି କନ୍ୟା ସନ୍ତାନ ଅଛନ୍ତି | ମୋହିତ ସେତେବେଳେ ଗୁର୍ଦାସପୁର ଏକ ରେସ୍ତୋରାଁ କରିଥିଲେ | ହରପ୍ରିତଙ୍କ ଭାଇ କହିଥିଲେ ଯେ, ପ୍ରାୟ ବର୍ଷେ ପୂର୍ବରୁ ମୋହିତ ମୁମ୍ବାଇ ଚାଲିଯାଇଥିଲେ ଏବଂ ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ | କିଛି ଦିନ ପରେ ଭଉଣୀ ହରପ୍ରିତ ମଧ୍ୟ ସ୍ୱାମୀ ପାଖକୁ ମୁମ୍ବାଇ ଚାଲିଯାଇଥିଲେ | ତେବେ କୌଣସି କାରଣ ବଶତଃ ହରପ୍ରିତ ଦୁଇ ଝିଅଙ୍କୁ ଧରି ଶାଶୁ ଘରକୁ ଚାଲି ଆସିଥିଲେ | କିନ୍ତୁ ମୋହିତ ମୁମ୍ବାଇରେ ହିଁ ଥିଲେ | ମୋହିତଙ୍କ ପରିବାର ଅଧିକାଂଶ ସମୟରେ ବୋହୁକୁ ଗାଳିଗୁଲଜ କରୁଥିଲେ | ସେ ଘରର କୌଣସି କାମ ନକରି ସବୁବେଳେ ବସି ରହୁଛି ବୋଲି କହି ଶାଶୁ ଘର ଲୋକେ ହରପ୍ରିତଙ୍କୁ ଗାଳି କରୁଥିବା ନେଇ ହରପ୍ରିତ ନିଜ ଭାଇଙ୍କୁ କହିଥିଲେ | ସ୍ୱାମୀ ମଧ୍ୟ ଏଥିରେ ତାଙ୍କ ପରିବାରଲୋକଙ୍କ ସପକ୍ଷରେ ଅଛନ୍ତି ବୋଲି ହରପ୍ରିତ ନିଜ ଭାଇକୁ ମେସେଜ ଜରିଆରେ କହିଥିଲେ | ଆହୁରି ସେ କହିଥିଲେ ଯେ, ସେ କେଉଁ ଦିନ ଆତ୍ମହତ୍ୟା କରିଦେବେ | ମହିଳା ନିଜ ସୂଈସାଇଡ ନୋଟରେ ଲେଖିଥିଲେ ଯେ, ସେ ନିଜ ଇଛାରେ ଏଭଳି ପଦକ୍ଷେପ ନେଇଛନ୍ତି | ତାଙ୍କୁ ଏଥିପାଇଁ କେହି ବାଧ୍ୟ କରିନାହାନ୍ତି | ସେ ବାହୁଡି ଦିନରୁ ଶୋଇନାହାନ୍ତି ଏବଂ ଏବେ ଶାନ୍ତିରେ ଶୋଇବାପାଇଁ ଚାହୁଁଛନ୍ତି | ତାଙ୍କ ଦୁଇ ଝିଅଙ୍କୁ ତାଙ୍କ ଆଇଙ୍କ ପାଖେ ଛାଡିଦେବାକୁ ଲେଖିଥିଲେ | କୌଣସି ପରିବାର ସଦସ୍ୟଙ୍କୁ ଏଥିପାଇଁ ହଇରାଣ ନକରିବାକୁ ସେ ନିବେଦନ କରିଥିଲେ | ନିଜ ମାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ସେ ତାଙ୍କୁ ବହୁତ ମିସ କରିବେ | ଥାନା ଅଧିକାରୀ କୁଳବନ୍ତ ସିଂ କହିଛନ୍ତି ଯେ, ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଧାରା ୧୭୪ କାରବାଇ କରାଯାଇଛି | ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.