ଡ୍ୟାନ୍ସବାରରେ ପ୍ରେମନିଶା …ବାରଡ୍ୟାନ୍ସରଙ୍କୁ ମନ୍ଦିରରେ ବିବାହ କରି ଏବେ ଥାନାରେ ବିବାହିତ ପ୍ରେମିକ
25/02/2020 at 12:52 PM

ଭୁବନେଶ୍ବର ୨୫/୨: ବାର୍ରେ ଡ୍ୟାନ୍ସରଙ୍କ ନୃତ୍ୟ ଦେଖି ପ୍ରେମରେ ପଡ଼ିଲେ । ଆଉ ବିବାହର ପ୍ରଲୋଭନ ଦେଖାଇ ଡ୍ୟାନ୍ସରଙ୍କୁ ପ୍ରେମରେ ଫସାଇଲେ । ଶାରୀରିକ ସମ୍ପର୍କ ରଖିଲେ । ପରେ ଲୁଚିଛପି ଦୁହେଁ ବିବାହ ବି କଲେ । ପରେ ଯୁବକ ବିବାହିତ ବୋଲି ଜାଣିବା ପରେ ବାର୍ ଡ୍ୟାନ୍ସର ଜଣକ ଏବେ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ଏନେଇ ସେ ସହିଦନଗର ଥାନା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେ ହେଲେ କେଉଁଝର ଜିଲ୍ଲାର ଶଶାଙ୍କ ଶେଖର ମହାନ୍ତି ।

ମିଳିଥିବା ସୂଚନା ମୁତାବକ, ଶଶାଙ୍କ ଏକ ଆଇଟି ସେକ୍ଟରରେ ଚାକିରି କରୁଛନ୍ତି । ଭଦ୍ରକ ଜିଲ୍ଲା କୋଡବରୁଆଁ ଅଞ୍ଚଳର ଚମେଲି(ଛଦ୍ମନାମ) କଟକ ରୋଡରେ ଥିବା ଏକ ବାର୍ରେ ଡ୍ୟାନ୍ସର ଅଛନ୍ତି । ସେଠାକୁ ଶଶାଙ୍କ ପ୍ରତିଦିନ ମଦ ପିଇବାକୁ ଯାଆନ୍ତି । ୩ ବର୍ଷ ତଳେ ଉକ୍ତ ବାରରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । ପରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲା । ବାର୍ ବାହାରେ ଉଭୟଙ୍କ ମଧ୍ୟରେ ମିଳାମିଶା ବଢ଼ିଥିଲା । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଚମେଲିଙ୍କୁ ଅନେକ ସମୟରେ ହୋଟେଲକୁ ଡକାଇ ଶାରୀରିକ ସମ୍ପର୍କ ରଖିଥିଲେ ଶଶାଙ୍କ । ଦୀର୍ଘ ବର୍ଷେ ଏମିତି ସମ୍ପର୍କ ରଖିବା ପରେ ଶଶାଙ୍କଙ୍କୁ ବିବାହ କରିବେ ବୋଲି ଚମେଲି ଜିଦ୍ ଧରିଥିଲେ । ଅନେକ ବୁଝାଇବା ସତ୍ତେ୍ୱ ଚମେଲି ରାଜି ନ ହେବାରୁ ଶଶାଙ୍କ ତାଙ୍କୁ ରାଜଧାନୀ ଉପକଣ୍ଠ ଏକ ମନ୍ଦିରରେ ବିବାହ କରି ସହିଦନଗର ଅଞ୍ଚଳରେ ଏକ ଭଡ଼ା ଘରେ ରଖିଥିଲେ ।

ତେବେ ଶଶାଙ୍କ ବିବାହିତ ଓ ତାଙ୍କର ଏକ ସନ୍ତାନ ଅଛି ବୋଲି କୌଣସି ସୂତ୍ରରୁ ମାସେ ତଳେ ଚମେଲି ଖବର ପାଇଥିଲେ । ଏନେଇ ପଚରିବାରୁ ଶଶାଙ୍କ ତାଙ୍କୁ ମାର୍ଧର କରିବାକୁ ଲାଗିଲେ । ଏପରିକି ଘଟଣାକୁ ପ୍ରଘଟ ନ କରି ଭଡ଼ା ଘରେ ରହିବାକୁ ଶଶାଙ୍କ ତାଙ୍କୁ ବାଧ୍ୟ କରାଇଥିଲେ । ନହେଲେ ମାରିଦେବାକୁ ସେ ଚମେଲିଙ୍କୁ ଧମକ ଦେଇଥିଲେ । ଶେଷରେ ନିରୁପାୟ ହୋଇ ଚମେଲି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ କେସ୍ ନମ୍ବର ୧୧୦/୨୦ରେ ଏକ ମାମଲା ରୁଜୁ କରି ଶଶାଙ୍କଙ୍କ ବିରୋଧରେ ଆଇପିସି ଦଫା ୩୪୧, ୩୨୩, ୪୧୭, ୪୯୩ ଓ ୫୦୬ ଲଗାଇଛି ।
