ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ରଖିବା ପରେ ଅତ୍ୟଧିକ ରକ୍ତ ଶ୍ରାବ ଯୋଗୁ ୨୩ ବର୍ଷୀୟା ନର୍ସିଂ ସ୍ନାତକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଗୁଜରାଟରେ ଏଭଳି ଘଟଣା ଘଟିଥିବା ବେଳେ ପୁଲିସ ୨୬ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।
ଏକ ହୋଟେଲରେ ଶାରୀରିକ ସମ୍ପର୍କ ରଖିବା ପରେ ଛାତ୍ରୀଙ୍କର ପ୍ରବଳ ରକ୍ତଶ୍ରାବ ହୋଇଥିଲା। ହେଲେ ପୁରୁଷ ବନ୍ଧୁ ତାଙ୍କୁ ଡାକ୍ତରଖାନା ନନେଇ ଏହାର ନିରାକରଣ ପାଇଁ ଅନ୍ଲାଇନ୍ରେ ସର୍ଚ୍ଚ କରି ଟିପ୍ସ ଖୋଜୁଥିଲେ। ଘଣ୍ଟା ଘଣ୍ଟା କାଳ ଅନ୍ଲାଇନ୍ରେ ଟିପ୍ସ ଖୋଜୁଥିବା ବେଳେ ଶରୀରକୁ ଅତ୍ୟଧିକ ରକ୍ତ ବୋହିଯିବାରୁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା।
ଉଚିତ ସମୟରେ ଡାକ୍ତରଖାନା ନ ନେବା ଯୋଗୁ ଛାତ୍ରୀଙ୍କର ମୃତ୍ୟ ହୋଇଛି। ଏହି ଅବହେଳା ପାଇଁ ପୁଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆରୁ ତଥ୍ୟ ନେଇ ହିନ୍ଦୁସ୍ଥାନ ଟାଇମ୍ସ ଖବର ପ୍ରକାଶ କରିଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୩ ତାରିଖରେ ଗୁଜରାଟ ନବସାରୀ ଜିଲ୍ଲାର ଏଭଳି ଘଟଣା ଘଟିଛି।
ତଦନ୍ତକାରୀ ଅଫିସରଙ୍କ କହିବା ଅନୁସାରେ, ପୁରୁଷ ବନ୍ଧୁ ଆମ୍ବୁଲାନ୍ସକୁ ଡାକିବା ବଦଳରେ ଅନଲାଇନ୍ରେ ‘ଶାରୀରିକ ସମ୍ପର୍କ ସମୟରେ ରକ୍ତ ବନ୍ଦ କରିବା ପାଇଁ କ’ଣ କରିବେ(what to do to cease blood during intercourse)’ ବୋଲି ସର୍ଚ୍ଚ କରିଥିଲେ। ରକ୍ତ ବୋହୁଥିବା ସମୟରେ ବି ପୁରୁଷ ବନ୍ଧୁ ଶାରୀରିକ ସମ୍ପର୍କ ରଖିବା ବନ୍ଦ କରି ନଥିଲେ। କିନ୍ତୁ ଯେତେବେଳେ ପ୍ରବଳ ରକ୍ତ ବହିଲା ରକ୍ତ ବନ୍ଦ କରିବା ପାଇଁ ଯୁବକ ପ୍ରାୟ ଦେଢ ଘଣ୍ଟା ଅନ୍ଲାଇନ୍ରେ ଟିପ୍ସ ସର୍ଚ୍ଚ କରିଥିଲେ। ଏହାପରେ କପଡ଼ା ଆଣି ରକ୍ତ ବନ୍ଦ କରିବାକୁ ଚେଷ୍ଟା ବି କରିଥିଲେ।
ଏହାପରେ ଛାତ୍ରୀ ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ଯୁବକ ଜଣଙ୍କ ତାଙ୍କ ବନ୍ଧୁମାନଙ୍କୁ ଖବର ଦେବା ସହିତ ଏକ ଗାଡ଼ିରେ ଯୁବତୀଙ୍କୁ ଡାକ୍ତରଖାନା ନେଇଥିଲେ। ଯେଉଁଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ।
ଜାଣିଶୁଣି ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ପୁଲିସ ଯୁବକଙ୍କୁ ଗିରଫ କରିଛି। ଛାତ୍ରୀଙ୍କର ଶବବ୍ୟବଚ୍ଛେଦ ରିପୋର୍ଟରେ ଯୁବତୀଙ୍କର ଯୌନାଙ୍ଗରେ ଗଭୀର କ୍ଷତ ଯୋଗୁ ରକ୍ତଶ୍ରାବ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି।
ପୁଲିସର ସୂଚନା ଅନୁସାରେ, ଯୁବତୀ ଜଣଙ୍କ ୩ ବର୍ଷ ତଳେ ଯୁବକଙ୍କୁ ଭେଟିଥିଲା। ଏହାପରେ ୨ ବର୍ଷ ଧରି ଦୁହିଙ୍କ ମଧ୍ୟରେ ସମ୍ପର୍କ ରହିନଥିଲା। ହେଲେ ୭ ମାସେ ତଳେ ସୋସିଆଲ୍ ମିଡିଆରେ ଉଭୟଙ୍କର ଦେଖା ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି।