ଛାଡପତ୍ର କଲା ଭାଗ୍ୟଶାଳୀ : ରାତାରାତି ବିଶ୍ବର ଧନୀ ମହିଳା ତାଲିକାରେ ହେଲେ ସାମିଲ, ଏବେ ୨୪ ହଜାର କୋଟିର ମାଲିକାଣୀ
6/06/2020 at 10:28 AM

ବେଜିଂ ୬।୬: ସାଧାରଣତଃ ବୈବାହିକ ଜୀବନରେ ଛାଡପତ୍ର ବହୁତ ଯନ୍ତ୍ରଣାଦାୟକ । କିନ୍ତୁ ତଥାପି ସାରା ବିଶ୍ବରେ ଛାଡପତ୍ର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛାଡପତ୍ରର ଏପରି ଏକ ମାମଲା ଚୀନ୍ରୁ ଆସିଛି ଯେଉଁଠାରେ ଜଣେ ମହିଳା ଛାଡପତ୍ର ପରେ ରାତାରାତି କୋଟିପତି ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଚୀନର ଏକ ଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଶେଞ୍ଝେନ କଙ୍ଗଟାଇ ବାୟୋଲୋଜିକାଲ ପ୍ରଡକ୍ଟର ଚେୟାରମ୍ୟାନ ଡ୍ୟୁ ଓ୍ବେଇମିନ୍ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିଲେ । ଏହି ଛାଡପତ୍ର ପରେ ତାଙ୍କୁ କ୍ଷତିପୂରଣ ହିସାବରେ ତାଙ୍କ ପତ୍ନୀ ୟୁଆନ୍ ଲିପିଙ୍ଗଙ୍କୁ କମ୍ପାନୀର ୧୬୧.୩ କୋଟି ସେୟାର ଦେବାକୁ ପଡିଛି । ଏହି ସେୟାର ସ୍ଥାନାନ୍ତର ପରେ ୪୯ ବର୍ଷ ବୟସ୍କା ୟୁଆନ୍ ଲିପିଙ୍ଗ ବିଶ୍ବର ଧନୀ ମହିଳା ହୋଇଛନ୍ତି । ଏହି ଛାଡପତ୍ର ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଗଲ୍ଫ ନ୍ୟୁଜ୍ ର ଏକ ରିପୋର୍ଟ ଅନୁଯାୟୀ, ସୋମବାର ଦିନ ସେୟାର ବଜାର ବନ୍ଦ ହେବାପରେ ଏହି ସେୟାରଗୁଡିକର ମୂଲ୍ୟ ୩.୨ ବିଲିୟନ ଡଲାର ଅର୍ଥାତ୍ ୨୪,୦୦୦ କୋଟି ଟଙ୍କା ଥିଲା । ଛାଡପତ୍ର ଦେବା ପରେ ସ୍ବାମୀ ଡ୍ୟୁଙ୍କ ମୋଟ୍ ସମ୍ପତ୍ତି ବର୍ତ୍ତମାନ ପ୍ରାୟ ୩.୧ ବିଲିୟନ ଡଲାରରେ ପହଞ୍ଚିଛି ଅର୍ଥାତ୍ ୨୩,୨୫୦ କୋଟି ଟଙ୍କା । ଏଥିରେ ବନ୍ଧକ ରହିଥିବା ସେୟାରର ମୂଲ୍ୟ ଅନ୍ତର୍ଭୁକ୍ତ ନାହିଁ ।
୫୬ ବର୍ଷ ବୟସ୍କ ଡ୍ୟୁ ଚୀନ୍ ଜିଆଙ୍ଗସି ପ୍ରଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । କଲେଜରେ ରସାୟନ ବିଜ୍ଞାନ ଅଧ୍ୟୟନ କରିବା ପରେ ସେ ୧୯୮୭ରେ ଏକ କ୍ଲିନିକରେ କାମ କରିବା ଆରମ୍ଭ କରିଥିଲେ ଏବଂ ୧୯୯୫ରେ ଏକ ବାୟୋଟେକ୍ କମ୍ପାନୀର ସେଲ୍ସ ମ୍ୟାନେଜର ହୋଇଥିଲେ । ଏହା ପରେ ୨୦୦୯ରେ କଙ୍ଗଟାଇ ମିନହାଇର ଅଧିଗ୍ରହଣ କରି ସମଗ୍ର କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ । ମିନହାଇ ୨୦୦୪ରେ ଡ୍ୟୁଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ।