ସରକାରୀ ଜମିରୁ ଉଚ୍ଛେଦ ବେଳେ ଉତ୍ତେଜନା, ଆତ୍ମହୁତି ଉଦ୍ୟମ କଲେ ମହିଳା

Published By : Prameya-News7 Bureau | December 29, 2021 IST

ଗଜପତି, ୨୯/୧୨: ଜବରଦଖଲ ଉଚ୍ଛେଦକୁ ନେଇ ହାଡୁ ଭଙ୍ଗୀରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମିରେ ଘର ଓ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଅଞ୍ଚଳବାସୀ ଘରକୁ ଭାଙ୍ଗିବା ସମୟରେ ପ୍ରତିବାଦ କରିବା ସହ ଜଣେ ମହିଳା ଆତ୍ମାହୁତି ଭଳି ଚରମ ପନ୍ଥା ଆପଣାଇବା ଘଟଣା ଦେଖିବାକୁ ମିଳିଛି । ବ୍ୟାପକ ପୋଲିସ ମୁତୟନ ସହ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ବ୍ଳକ ହାଡୁ ଭଙ୍ଗୀ ଗ୍ରାମରେ ବେଆଇନ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଗ୍ରାମର ଦୋକାନ ଓ ବାସଗୃହ ମିଶି ମୋଟ ୫୬ଟି ଘର ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଶାସନ । ସକାଳୁ ପ୍ରଶାସନ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଛେଦ ପ୍ରକିୟା ଜାରି ରହିଥିବା ବେଳେ ହଠାତ ଜଣେ ମହିଳା ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । କିରୋସିନି ଢାଳି ଦେହରେ ନିଆଁ ଲଗାଇ ବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ମହିଳାଙ୍କୁ ଉଦ୍ଧାର କରିବା ସହ ମହିଳା ଓ ଅନ୍ୟ ସହଯୋଗୀଙ୍କୁ ଉଠାଇ ନେଇଛି ।

ତେବେ ଏହି ଘଟଣାରେ ଆତ୍ମହୁତି ଦେବା ପାଇଁ ଉଦ୍ୟମ କରୁଥିବା ମହିଳାଙ୍କ ଅଭିଯୋଗ ହେଲା ପ୍ରଶାସନ ଓ ପୋଲିସ ପାତର-ଅନ୍ତର ନୀତି ଅବଲମ୍ବନ କରି ଗରିବଙ୍କ ଘର ପ୍ରଥମେ ଭାଙ୍ଗି ଦେଇଛନ୍ତି । ଆଉ ତାଙ୍କର ରୋଜଗାର ସକାଶେ ଅନ୍ୟ କୌଣସି ପନ୍ଥା ନାହିଁ । ତେଣୁ ସେ ଏଭଳି ଉଦ୍ୟମ କରିଥିବା କହିଛନ୍ତି । ଅନ୍ୟ ପକ୍ଷରେ ସକାଳ ୮ଟା  ଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସକାଳୁ ସକାଳୁ ୪ଟି ଦୋକାନ ଗୃହ ଉଛେଦ କରିଦେଇ ଅନ୍ୟ ଘର ଉଚ୍ଛେଦ ନକରି ଏବେ ପର୍ଯ୍ୟନ୍ତ କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.