ନୂଆଦିଲ୍ଲୀ ୦୧/୧୨: ନୃଶଂସ ପାଲଟିଗଲା ଜନ୍ମ କଲା ମା’। ନିଜ ପୁଅକୁ ବନ୍ଦ କୋଠରୀରେ ବାନ୍ଧି ରଖିଥିଲା ୨୮ ବର୍ଷ। କେବଳ ୧୨ ବର୍ଷ ବୟସରେ ପୁଅକୁ ସ୍କୁଲ୍ରୁ ବାହାର କରି ବନ୍ଦ ଓ ଅନ୍ଧାର କୋଠରୀ ଭିତରେ ଦୀର୍ଘ ୨୮ ବର୍ଷ ରଖିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ଗୋଟିଏ ବି ଦାନ୍ତ ନଥିବା ବେଳେ ଦେହ ସାରା ଘା ହୋଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏଭଳି ଏକ ହୃଦୟ ବିଦାରକ ଘଟଣା ସ୍ବିଡେନ୍ର ଦକ୍ଷିଣ ଷ୍ଟକହୋମରେ ଘଟିଛି। ଜଣେ ମା ତା ପୁଅକୁ ୧୨ ବର୍ଷ ବୟସରୁ ଆପାର୍ଟମେଣ୍ଟର ଏକ କୋଠରୀରେ ୨୮ ବର୍ଷ ବନ୍ଦ କରି ରଖିଥିଲା। ତାଙ୍କର ଜଣେ ସମ୍ପର୍କୀୟ ଏବେ ବ୍ୟକ୍ତିଙ୍କୁ ବାହାରକୁ ଆଣିବା ସହ ପୋଲିସକୁ ଖବର ଦେଇଥିଲେ।
ଏହା ସହ ମହିଳା ନିଜ ପୁଅକୁ ଆକଟ କରୁଥିଲେ କିନ୍ତୁ ଏଭଳି ଅମାନବୀୟ ଭାବେ ବନ୍ଦ କରି ରଖିବା କଥା ବିଶ୍ବାସ ହେଉନାହିଁ ବୋଲି ନିଜର ପରିଚୟ ଗୋପନ ରଖି କହିଛନ୍ତି ମହିଳାଙ୍କ ସମ୍ପର୍କୀୟ। ତେବେ ବ୍ୟକ୍ତିଙ୍କ ଦାନ୍ତ ନଥିବା ବେଳେ ଠିକ୍ ଭାବେ କଥା ବି ହୋଇପାରୁନଥିବା ପୋଲିସ ପ୍ରବକ୍ତା ଓଲା ଓଷ୍ଟରଲିଙ୍ଗ ଏଏଫ୍ପି କହିଛନ୍ତି।
ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା କୋଠରୀ ବହୁ ଦିନ ହେଲା ସଫା ହୋଇନଥିବାରୁ ସେଠାରେ ପରିଶ୍ରା, ମଳ ଆଦି ପଡ଼ିରହିବା ସହ ଅତି ଦୁର୍ଗନ୍ଧ ହେଉଥିଲା। ସେଠାରେ ରହି ରହି ବ୍ୟକ୍ତିଙ୍କ ଶରୀର ସଂକ୍ରମିତ ହୋଇସାରିଛି। କିନ୍ତୁ ତାଙ୍କ ଦେହରେ ଥିବା ଆଘାତ ଏତେ ବିପଦ ଜନକ ନୁହେଁ ବୋଲି ଜଣାପଡ଼ିଛି। ସେପଟେ ଏହି ଘଟଣାକୁ ଅସ୍ବିକାର କରିଛନ୍ତି ପୀଡ଼ିତଙ୍କ ମା’।