କ୍ରିକେଟର ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ମହିଳା ଗିରଫ
16/02/2023 at 7:39 PM

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ’ଙ୍କୁ ଆକ୍ରମଣ କରିଥିବା ମହିଳା ସପ୍ନା ଗିଲ୍ଙ୍କୁ ଗିରଫ କଲା ପୁଲିସ୍। ବୁଧବାର ସେଲ୍ଫୀକୁ ନେଇ ଝଗଡ଼ା ହେବା ପରେ ସପ୍ନା ଓ ତାଙ୍କ ସାଙ୍ଗମାନେ ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୃଥ୍ୱୀଙ୍କ ସାଙ୍ଗ ଆଶିଷ ଥାନାରେ ୮ ଜଣଙ୍କ ନାଁରେ ମାମଲା ଦାୟର କରିଥିଲେ। ଏହି ୮ ଜଣଙ୍କ ଭିତରେ ସପ୍ନାଙ୍କ ନାଁ ରହିଥିଲା। ଥାନାରେ ଅଭିଯୋଗ ହେବା ପରେ ଓଶିୱାରା ପୁଲିସ୍ ଗୁରୁବାର(ଫେବ୍ରୁଆରୀ ୧୬) ସପ୍ନାଙ୍କୁ ଗିରଫ କରିଛି।
ସୂଚନା ଥାଉକି, ଗତକାଲି ପୃଥ୍ୱୀ ଶ’ ତାଙ୍କର ୩ ବନ୍ଧୁଙ୍କ ସହ ମୁମ୍ବାଇର ସାନ୍ତାକ୍ରୁଜ୍ ହୋଟେଲ୍କୁ ଡିନର ପାଇଁ ଯାଇଥିଲେ। ଏହି ସମୟରେ ସପ୍ନା ଗିଲ୍ ଓ ତାଙ୍କ ସାଙ୍ଗ ସୋଭିତ୍ ଠାକୁର୍ ଆସି ସେଲ୍ଫୀ ନେବାକୁ ବାଧ୍ୟ କରିଥିଲେ। ଥରେ ସେଲ୍ଫୀ ନେଇଯିବା ପରେ ପୁଣିଥରେ ସପ୍ନା ଓ ସାଙ୍ଗମାନେ ପୃଥ୍ୱୀଙ୍କ ସହ ଫଟୋ ଉଠାଇବାକୁ ବାଧ୍ୟ କରିଥିଲେ।
ହେଲେ ଏଥର ପୃଥ୍ୱୀ ଶ ମନା କରିଦେଇଥିଲେ। ସେ ଡିନର ପାଇଁ ଅସିଛନ୍ତି ଅଯଥା ଡିଷ୍ଟର୍ବ କରନ୍ତୁ ନାହିଁ ବୋଲି ଶ’ କହିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ପୃଥ୍ୱୀ ଶଙ୍କ ବନ୍ଧୁ ହୋଟେଲ୍ ମ୍ୟାନେଜରଙ୍କୁ ଡାକି ସେମାନଙ୍କୁ ବିଦା କରିଦେଇଥିଲେ। ଏହାପରେ ଡିନର ସାରି ଫେରିବା ପରେ ହୋଟେଲ୍ ବାହାରେ ପୃଥ୍ୱୀ ବସିଥିବା ବିଏମ୍ଡବ୍ଲୁ ଗାଡ଼ି ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ବେସବଲ ବ୍ୟାଟ୍ରେ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗି ଦେଇଥିଲେ।
ଏହି ଘଟଣା ପରେ ପୃଥ୍ୱୀ ଶଙ୍କ ବନ୍ଧୁ ଆଶିଷ ସୁରେନ୍ଦ୍ର ଯାଦବ ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନ୍ରେ ଅଭିଯୋଗ କରିଥିଲେ। ୮ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

ସୁରେନ୍ଦ୍ର ନିଜ ଅଭିଯୋଗରେ ଦର୍ଶାିଇଥିଲେ ଯେ ଆକ୍ରମଣ ବେଳେ କାର୍ ଭିତରେ ପୃଥ୍ୱୀ ବସିଥିଲେ। ଅଯଥା ଝଗଡ଼ା କରିବାକୁ ଆମେ ଚାହୁଁନଥିଲୁ। ତେଣୁ ପୃଥ୍ୱୀଙ୍କୁ ଅନ୍ୟ ଏକ କାର୍ରେ ଘରକୁ ପଠାଇ ଦେଇଥିଲୁ। ହେଲେ ଦୁର୍ବୃତ୍ତଙ୍କ ମଧ୍ୟରେ ୨ ଜଣ କାର୍ ପିଛା କରି ଆସିଥିଲେ। ଜୋଗେଶ୍ୱରୀ ଲୋଟୋସ ପେଟ୍ରୋଲ ପମ୍ପ ପାଖରେ ତାଙ୍କ ଗାଡ଼ିକୁ ପୁଣି ଅଟକାଇଥିଲେ। ଏହାପରେ ହଠାତ୍ ଜଣେ ମହିଳା ଆସି ଧମକ ଦେଇଥିଲେ। ୫୦ ହଜାର ଟଙ୍କା ଦେଲେ ମାମଲା ସମାଧାନ ହୋଇଯିବ। ନହେଲେ ମିଛ ମାମଲାରେ ଫସାଇ ଦେବୁ ବୋଲି ମହିଳା ଧମକ ଦେଇଥିବା ସୁରେନ୍ଦ୍ର ଅଭିଯୋଗ କରିଥିଲେ।
ଏହାପରେ ଓଶିୱାରା ପୁଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ କରି ଅପରାଧିଙ୍କୁ ଖୋଜିଥିଲା ପୁଲିସ୍। ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ସମ୍ପର୍କ କରିବାରୁ କର୍ମଚାରୀ ଅଭିଯୁକ୍ତ ଗ୍ୟାଙ୍ଗ ମଧ୍ୟରୁ ଦୁଇ ଜଣଙ୍କ ଠିକଣା ସହ ଫୋନ୍ ନମ୍ବର ପୁଲିସକୁ ଦେଇଥିଲେ। ଏହି ଦୁଇ ଜଣ ପୃଥ୍ୱୀଙ୍କ ସହ ସେଲ୍ଫୀ ନେଉଥିଲେ ବୋଲି ହୋଟେଲ୍ କର୍ମଚାରୀ କହିଛନ୍ତି। ଏହି ଦୁଇଜଣ ହେଲେ ସପ୍ନା ଗିଲ୍ ଏବଂ ସୋଭିତ୍ ଠାକୁର୍। ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଧା ସପ୍ନାଙ୍କୁ ଗିରଫ କରିଛି।
ସୂଚନା ଥାଉକି ସପ୍ନା ମଧ୍ୟ ପୃଥ୍ୱୀ ଓ ତାଙ୍କ ବନ୍ଧୁମାନଙ୍କ ବିରୋଧରେ ମାର୍ପିଟ୍ କରିଥିବା ଅଭିଯୋଗ ଆଣିଛନ୍ତି। ପୃଥ୍ୱୀ ଶହ ଏକ ବାଡ଼ି ଧରିଥିବା ବେଳେ ତାଙ୍କ ସାଙ୍ଗମାନେ ମୋ ସହ ମାର୍ପିଟ୍ କରିଥିଲେ ବୋଲି ସପ୍ନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସପ୍ନା ଆହତ ଥିବା ବେଳେ ତାଙ୍କୁ ମେଡିକାଲ୍ ଟେଷ୍ଟ ପାଇଁ ପଠାଯାଉନି ବୋଲି ସପ୍ନା ଓକିଲ ଅଲି କଶିଫ ଖାନ୍ ଅଭିଯୋଗ କରିଛନ୍ତି।