ବହରାଇଚ: ମାତିଛି ମଣିଷଖିଆ ଶିଆଳ। ପଛରୁ ଛପି ଛପି ଆସୁଛି, ସିଧା ବେକ କାମୁଡ଼ି ଧରୁଛି। ୩୫ ଗାଁରେ ହାଇ ଆଲର୍ଟ। ୫୦ଟି ଗାଁରେ ବିପଦ। ଛୋଟଛୁଆ ଠାରୁ ଆରମ୍ଭ କରି ବଡ଼ ମଣିଷ, କାହାକୁ ଛାଡ଼ୁ ନାହାନ୍ତି ନରହନ୍ତା ଶିଆଳ। ଭୟରେ ଦିନ ଦ୍ୱିପ୍ରହର ତାଟି କବାଟ ପଡ଼ିଯାଉଛି। ରକ୍ତମୁଖା ମୁହଁରେ ଲାଗିଛି ନରମ ମାଂସର ଗରମ ରକ୍ତ। ଗତ ଦେଢ ମାସରେ ୮ ଜଣଙ୍କ ମୃତ୍ୟୁ ହେଲାଣି। ୨୦ ଲୋକ ଆହତ ହେଲେଣି। ଦଳ ଦଳ ହୋଇ ଆସୁଛନ୍ତି, ମଣିଷ ଦେଖିଲେ ଝପଟି ପଡ଼ୁଛନ୍ତି। ଗଧିଆଙ୍କୁ ଧରିବାକୁ ତେଣେ ନାକଦେମ ବନବିଭାଗ। ଗାଁ ଗାଁରେ ବୁଲି ପହରା ଦେଉଛନ୍ତି ବିଭାଗୀୟ କର୍ମଚାରୀ।
ସେପ୍ଟେମ୍ବର ୧ ତାରିଖ ରବିବାର ୬ ବର୍ଷର ଏକ ନାବାଳିକାକୁ ଦିନ ଦ୍ୱିପ୍ରହରେ ଆଟାକ କରିଥିଲା ରକ୍ତମୁଖା ଗଧିଆ। ଘରେ ପଶି ଆସି ସିଧା ତାଙ୍କ ଝିଅର ବେକକୁ କାମୁଡ଼ି ଧରିଲା। ହେଲେ ଭାଗ୍ୟ ଭଲ ନାବାଳିକାର ମାଆ ଆସିଯିବାରୁ ଛୋଟ ଝିଅଟିର ଜୀବନ ବଞ୍ଚି ଯାଇଛି। ଉତ୍ତର ପ୍ରଦେଶର ବହରାଇଚ୍ର ୩୫ଟି ଗାଁର ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଖେଳିଯାଇଛି। ଭୟଙ୍କର ଶିଆଳଙ୍କ ଆକ୍ରମଣରେ ଲୋକ ଏକୁଟିଆ ଯାଆସ କରିବାକୁ ଭୟ କଲେଣି। ଗତ ଦେଢ଼ ମାସ ହେବ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।
ମଣିଷଖିଆ ଗଧିଆମାନଙ୍କ ଆତଙ୍କରେ ଚିନ୍ତାରେ ଉତ୍ତର ପ୍ରଦେଶ ସରକାର। ଗଧିଆମାନଙ୍କୁ ଧରିବାକୁ ଉତ୍ତର ପ୍ରଦେଶ ବନବିଭାଗ ଆରମ୍ଭ କରିଛି ଅପରେସନ ଭେଡିଆ। ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୪ଟି ଗଧିଆ ଧରାପଡ଼ିଛନ୍ତି। ଗଧିଆ ଘଉଡ଼ାଇବାକୁ ହାତୀ ମଳ ଓ ପରିସ୍ରାର ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଉତ୍ତର ପ୍ରଦେଶ ବନବିଭାଗ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ରାତିରେ ଗାଁଗୁଡ଼ିକରେ ପହରା ଦେଉଛନ୍ତି। ମଣିଷଖିଆ ଗଧିଆଙ୍କ ଶିକାର ଯେ କେବଳ ଛୋଟଛୁଆ ହେଉଛନ୍ତି ତାହା ନୁହେଁ। ବୟସ୍କ ବ୍ୟକ୍ତି କୁନ୍ନୁଲାଲଙ୍କୁ ବି ପଛରୁ ଆସି ମାଡ଼ି ବସିଥିଲା ଗଧିଆ। ଭୋର ସମୟରେ ଚେୟାରରେ ବସିଥିବା ବେଳେ ତାଙ୍କ ବେକ କାମୁଡ଼ି ଧରିଥିଲା। କୁନ୍ନୁଲାଲ୍ ବହୁକଷ୍ଟରେ ଶିଆଳ ପାଟିକୁ ମୁଥା ମାରିବା ସହ ତାଙ୍କ ଭାଇକୁ ଡାକ ପକାଇଥିଲେ। ଏହାପରେ ଶିଆଳ ଭୟରେ ପଳାଇବାରୁ କୁନ୍ନୁଲଲାଙ୍କ ଜୀବନ ବଞ୍ଚି ଯାଇଥିଲା। ଶୁଣନ୍ତୁ ସେ କ’ଣ କହୁଛନ୍ତି
ରକ୍ତମୁଖା ଗଧିଆଙ୍କ ଭୟରେ ରାତିରେ ପହରା ଦେଉଛନ୍ତି ଗାଁ ଲୋକେ । ଠେଙ୍ଗାବାଡ଼ି ଧରି ସତର୍କ ରହିବାକୁ ଡାକ ବି ଛାଡ଼ୁଛନ୍ତି। ସେପଟେ ଗଧିଆମାନଙ୍କୁ ଧରିବାକୁ ତତ୍ପର ବନ ବିଭାଗ। ଯନ୍ତା ବସାଉଛି, ଜାଲ ବି ବିଛାଉଛି। ଏକାଧିକ ଟିମ୍ କରି ଗଠନ କରି ରାତିରେ ପେଟ୍ରୋଲିଂ କରୁଛନ୍ତି ବନ ଭିବାଗ କର୍ମଚାରୀ। ଶିଆଳଙ୍କୁ ଧରିବାକୁ ଡ୍ରୋନ୍ ଉଡ଼ାଇ ଲୋକସେନ ଟ୍ରାକ କରାଯାଉଛି। ବହରାଇଚ ମହଶୀର ବିଜେପି ବିଧାୟକ ସୁରେଶ୍ୱର ସିଂହ ନିଜେ ବନ୍ଧୁକ ଧରି ରାତିରେ ପହରା ଦେଉଥିବାର ଦେଖିବାକୁ ମିଳିଛି।