ରାଜସାକ୍ଷୀ ହିଁ ମୁଖ୍ୟ ଖଳନାୟକ-କରିଥିଲା ଗଣଦୁଷ୍କର୍ମ ଯୋଜନା
28/09/2019 at 6:33 PM

କଳାହାଣ୍ଡି ୨୮।୦୯- କଳାହାଣ୍ଡି ଜାରିଙ୍ଗ ଗଣଦୁଷ୍କର୍ମ ମାମଲାରେ ପୋଲିସର ୟୁଟର୍ଣ୍ଣ ।ଯାହାକୁ ପୋଲିସ ରାଜସାକ୍ଷୀ ବନାଇଥିଲା ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିବା ପରେ ପୋଲିସ ତାକୁ ଅଟକ ରଖିଛି ।ପୀଡ଼ିତାଙ୍କ ସାନି ବୟାନ ରେକର୍ଡ ଆରମ୍ଭ କରିଛି ପୋଲିସ ।…

ରାଜସାକ୍ଷୀ ହିଁ ମୁଖ୍ୟ ଖଳନାୟକ । ଯାହାକୁ ପୋଲିସ ରାଜସାକ୍ଷୀ ବନାଇଥିଲା ସେ ହିଁ ଥିଲା ଅପରାଧର ମୁଖ୍ୟ କାର୍ପଟଦାର୍ ।ପୀଡ଼ିତାଙ୍କ ବୟାନ ବଦଳାଇ ଦେଇଛି ପୁରା ମାମଲାର ମୋଡ଼ ।ନିଜ ରିପୋର୍ଟକୁ ସଂଶୋଧନ କରିବା ପାଇଁ ପୋଲିସ ଚଳାଇଛି ପ୍ରସ୍ତୁତି ।ଜାରିଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଗତକାଲି କହିଥିଲେ ଯେ ରାଜସାକ୍ଷୀ ପାଲଟିଥିବା ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଅଭିଯୁକ୍ତ । ସେ ମଧ୍ୟ ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ଏହି ଘଟଣା ପରେ ଜୁନାଗଡ଼ ପୋଲିସ ଲଳିନ୍ଦ୍ର ଶବରକୁ ଅଟକ ରଖିବା ସହିତ ପୀଡ଼ିତାଙ୍କ ବୟାନ ପୁଣିଥରେ ରେକର୍ଡ କରିବା ପାଇଁ ଏସ୍ପି ବି ଗଙ୍ଗାଧର ନିର୍ଦ୍ଦେଶ ଦେଇଛନ୍ତି ।…

ପୂର୍ବରୁ ପୀଡ଼ିତା ପୋଲିସ ନିକଟରେ ଦେଇଥିବା ୧୬୧ ବୟାନ ଏବଂ ମାଜିଷ୍ଟ୍ରେଟଙ୍କ ନିକଟରେ ଦେଇଥିବା ୧୬୪ ବୟାନରେ ଲଳିନ୍ଦ୍ର ଶବରକୁ ଅଭିଯୁକ୍ତ ଦର୍ଶାଇ ନଥିବା କଳାହାଣ୍ଡି ଏସ୍ପି କହିଛନ୍ତି ।ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ ଶାସକ ଦଳ ଚାପରେ ପୋଲିସ ଅଭିଯୁକ୍ତକୁ ରାଜସାକ୍ଷୀ ବନାଇଥିଲା ।ତେବେ ଏହି ଘଟଣାକୁ ନେଇ ଅଯଥା ରାଜନୀତି କରାଯିବା ଉଚିତ ନୁହେଁ ବୋଲି ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ।

ଜାରିଙ୍ଗ ଗଣଦୁଷ୍କର୍ମ ମାମଲାର ଭିଡିଓ ଭାଇରାଲ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରି ୨୪ ଘଣ୍ଟା ଭିତରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପ୍ରଶଂସା ସାଉଁଟିଥିଲା ।ତେବେ ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ ବନାଇବା ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ପୀଡ଼ିତାଙ୍କ ଏତଲାରେ ଏବଂ ମାଜିଷ୍ଟ୍ରେଙ୍କ ଆଗରେ ବୟାନରେ ଲଳିନ୍ଦ୍ରକୁ କାହିଁକି ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇନଥିଲା ତାହା ଅନେକ ପ୍ରଶ୍ନ ଛିଡ଼ା କରାଇଛି ।…
