କୋରାପୁଟ: କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆରମ୍ଭ ହୋଇଛି ନକ୍ସଲ ଅପରେସନରେ ନିୟୋଜିତ ବିଏସଏଫ୍ ଯବାନଙ୍କ ପ୍ରତ୍ୟାହାର। ପ୍ରଥମ ପର୍ଯ୍ୟାୟରେ କୋରାପୁଟର ଲାଲଗଡ଼ କୁହାଯାଉଥିବା ନାରାୟଣପାଟଣା ଓ ବନ୍ଧୁଗାଁରୁ ଯବାନ ମାନଙ୍କୁ ପ୍ରତ୍ୟାହାର କରାଯାଇଛି। ଆଗକୁ କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ ବିଏସଏଫ ଯବାନଙ୍କୁ ହଟାଇ କ୍ୟାମ୍ପ ବନ୍ଦ ହେବ ବୋଲି ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଲ ବାହିନୀର ତାଣ୍ଡବ ପରେ ଏହି ଯବାନଙ୍କୁ ୨୦୧୩ ମସିହା ପରଠାରୁ ପର୍ଯ୍ୟାୟ କ୍ରମେ ନିୟୋଜିତ କରାଯାଇଥିଲା। ତେବେ ପଡୋଶୀ ରାଜ୍ୟରେ ଏବେ ବି ଲାଲବାହିନୀ ସକ୍ରିୟ ଥିବା ବେଳେ ଏହି କ୍ୟାମ୍ପ ବନ୍ଦକୁ ନେଇ ଉଠିଛି ଅନେକ ପ୍ରଶ୍ନ।
୧୩ ବର୍ଷ ପରେ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରୁ ହଟିଲା BSF କ୍ୟାମ୍ପ। ପ୍ରତ୍ୟାହାର ହେଲେ ଯବାନ। ପ୍ରଥମ ପର୍ଯ୍ୟାୟରେ ଲାଲଗଡ଼ ଭାବେ ପରିଚିତ ନାରାୟଣପାଟଣା ଓ ବନ୍ଧୁଗାଁରୁ ଯବାନଙ୍କୁ ପ୍ରତ୍ୟାହାର କରାଯାଇ କ୍ୟାମ୍ପକୁ ବନ୍ଦ କରାଯାଇଛି। ନାରାୟଣପାଟଣାରେ ୫ ଓ ବନ୍ଧୁଗାଁରେ ଥିବା ୨ଟି କ୍ୟାମ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସେହିପରି ପଟ୍ଟାଙ୍ଗିରେ ଥିବା ୩ଟି କ୍ୟାମ୍ପ ମଧ୍ୟରୁ ଗୋଟିଏ କ୍ୟାମ୍ପ ବନ୍ଦ କରିଦିଆଯାଇଛି।
ପର୍ଯ୍ୟାୟ କ୍ରମେ ଜିଲ୍ଲାର ବାକି ସ୍ଥାନରେ ଥିବା କ୍ୟାମ୍ପ ବନ୍ଦ ହେବ ଓ ଯବାନଙ୍କୁ ପ୍ରତ୍ୟାହାର କରାଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହଁ, ପଡୋଶୀ ମାଲକାନଗିରି ସମେତ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ଥିବା BSF କ୍ୟାମ୍ପ ବନ୍ଦ କରି ଯବାନଙ୍କୁ ପ୍ରତ୍ୟାହାର କରାଯିବ ବୋଲି ମାଲକାନଗିରି ଗସ୍ତ ସମୟରେ ସୂଚନା ଦେଇଥିଲେ ବିଏସଏଫର ଆଇଜି ଅପରେସନ। ଏସବୁ ଜିଲ୍ଲାରେ ନକ୍ସଲ ପ୍ରାଦୁର୍ଭାବ କମୁଥିବାରୁ ଏହି ନିଷ୍ପତ୍ତି ହୋଇଛି। ୨୦୦୮ ପରଠୁ ନକ୍ସଲ ଆତଙ୍କ ଯୋଗୁଁ ପର୍ଯ୍ୟାୟ କ୍ରମେ ୨୦୧୩ ମସିହାରୁ ଏମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିଲା।
BSF କ୍ୟାମ୍ପ ବନ୍ଦ ପରେ ଏସବୁ ସଂପୃକ୍ତ ବ୍ଳକ ପ୍ରଶାସନକୁ ହସ୍ତାନ୍ତର କରାଯାଉଛି। ଏବଂ ଏସବୁ ସ୍ଥାନରେ କରାଯିବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଇଣ୍ଡଷ୍କ୍ରିଆଲ୍ ପାର୍କ।ତେବେ BSF କ୍ୟାମ୍ପ ବନ୍ଦକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ନକ୍ସଲ ଅପରେସନ ସମୟରେ ଏହି ଯବାନଙ୍କ କାନ୍ଧରେ ଗୁରୁ ଦାୟିତ୍ବ ଥିଲା। ରାଜ୍ୟ ପୋଲିସ ବାହିନୀ ନକ୍ସଲ ମୁକାବିଲାରେ ବିଫଳ ହେବା ପରେ କେନ୍ଦ୍ର ସରକାର ଏମାନଙ୍କୁ ନିୟୋଜିତ କରିଥିଲେ। ଏବେ ବି ପଡୋଶୀ ଛତିଶଗଡ଼ରେ ନକ୍ସଲ ସଂଗଠନ ଦବଦବା ଜାରି ରଖିଛନ୍ତି। ତେଣୁ ଏସବୁ କ୍ୟାମ୍ପ ବନ୍ଦ ପରେ ଛତିଶଗଡ଼ର ନକ୍ସଲ ଓଡିଶା ମୁହାଁ ହେବେ ନାହିଁ ତ? ଯଦି ଏପରି ହୁଏ ପୁଣିଥରେ ଓଡ଼ିଶା ନକ୍ସଲଙ୍କ ଚରାଭୂଇଁ ପାଲଟିଯିବନି ତ? ନକ୍ସଲ ଓଡ଼ିଶା ମୁହାଁ ହେଲେ ଏମାନଙ୍କ ମୁକାବିଲା କିଏ ଓ କେମିତି କରିବ?
କୋରାପୁଟ ଜିଲ୍ଲାର ମୋଟ ୧୯ଟି ବିଏସଏଫ କ୍ୟାମ୍ପ ମଧ୍ୟରୁ ୮ଟିକୁ ହଟାଯାଇଛି। BSF ଯବାନ ହଟିବା ପରେ ଏମାନଙ୍କ ସ୍ଥାନରେ IRBN ଯବାନଙ୍କୁ ମୁତୟନ କରାଯାଇଥିଲା। ତେବେ ଗତ ତିନି ଦିନ ମଧ୍ୟରେ ନାରାୟଣପାଟଣାର କୁମ୍ଭାରୀ ଓ ପେଟ୍ରୁ କ୍ୟାମ୍ପରୁ IRBN ଯବାନଙ୍କୁ ମଧ୍ୟ ହଟାଯାଇଛି।