ପରିବାରର ଅନୁମତିରେ ମୃତ କୋଭିଡ୍ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇପାରିବ: ହାଇକୋର୍ଟ
17/07/2020 at 1:05 PM

କଟକ,୧୭/୦୭: କେନ୍ଦ୍ରାପଡା ଜିଲ୍ଲାର ୧୩ ଜଣ କରୋନା ସଂକ୍ରମିତଙ୍କ ସଂକ୍ରାନ୍ତରେ ତଥ୍ୟ ପ୍ରଘଟକୁ ନେଇ ରୁଜୁ ମାମଲାର ଗୁରୁବାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ଅବସରରେ ହାଇକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କରୋନା ଯୋଦ୍ଧାମାନେ ଯଦି କରୋନା ସଂକ୍ରମିତ ହୋଇ ପ୍ରାଣ ହରାନ୍ତି, ମୃତକଙ୍କ ପରିବାରର ଅନୁମତି ନିଆଯାଇ ସେମାନଙ୍କ ନାମ ପ୍ରକାଶ କରାଯାଇ ପାରିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । କିନ୍ତୁ କରୋନା ଯୋଦ୍ଧା ଯଦି କରୋନା ସଂକ୍ରମିତ ହୋଇଥାନ୍ତି ତାହେଲେ ସେ ସଂକ୍ରାନ୍ତରେ ଖବର ପ୍ରକାଶ ବେଳେ ଗଣମାଧ୍ୟମ ସତର୍କ ଓ ସୁଚାରୁ ରୂପେ ଦାୟିତ୍ୱ ସଂପାଦନ କରିବା ଦରକାର । ସେହିପରି ଜନସାଧାରଣ ମଧ୍ୟ ଏ ଦିଗରେ ସକାରାତ୍ମକ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ହାଇକୋର୍ଟ ମତ କହିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ସଂକ୍ରମିତଙ୍କ ନାମ ଓ ତଥ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଆବେଦନକାରୀ ଅନଙ୍ଗ କୁମାର ଓତା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବା ଲାଗି ଆଇସିଏମ୍ଆର୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କରୋନା ସଂକ୍ରମିତ ବ୍ୟକ୍ତି କିମ୍ବା କ୍ୱାରେଣ୍ଟାଇନ୍ରେ ରହୁଥିବା ବ୍ୟକ୍ତିଙ୍କ ନାମ, ବୟସ, ଘର ଆଦିର ଠିକଣା ସମ୍ପର୍କରେ କାହାରିକୁ ନଜଣାଇବା ଲାଗି ସ୍ପଷ୍ଟ କୁହାଯାଇଛି । କାରଣ ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ନାମ, ଠିକଣା ଆଦି ଜଣାପଡ଼ିଯାଏ ତାହେଲେ ସେ ସାମାଜିକ ବାସନ୍ଦ ଭଳି ସ୍ଥିତିର ସାମ୍ନା କରିବାର ଆଶଙ୍କା ରହିଛି । ଏହିଭଳି ଅନେକ ଘଟଣା ଏବେ ସମାଜରେ ପ୍ରତିଦିନ ଦେଖାଯାଉଛି । କିନ୍ତୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଯିବା ପରିବର୍ତ୍ତେ ସାର୍ବଜନୀନ କରାଯାଉଛି ।
କେନ୍ଦ୍ରାପଡ଼ାର ୧୩ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନାମ, ବୟସ, ଠିକଣା ଆଦି ବିସ୍ତୃତ ତଥ୍ୟ ସଂପର୍କିତ ସୂଚନା ସାମାଜିକ ଗଣମାଧ୍ୟମରେ ପ୍ରସାର ହୋଇଥିଲା । କିନ୍ତୁ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତେଣୁ ହାଇକୋର୍ଟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାସହ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହା ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଜବାବ ରଖିବା ସହ ଏହି ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଦାଲତଙ୍କୁ ଅବଗତ କରିଥିଲେ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି ।