୨୫ ବର୍ଷର ରେକର୍ଡ ଭାଙ୍ଗିଲେ ଧନକଡ଼: ୧୯୯୭ରୁ ଏପର୍ଯ୍ୟନ୍ତ ସର୍ବାଧିକ ମାର୍ଜିନ୍‌ରେ ଜିତିଲେ ଉପରାଷ୍ଟ୍ରପତି ନିର୍ବାଚନ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ଗତକାଲି(ଅଗଷ୍ଟ ୬) ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଏନ୍‌ଡିଏ ପାର୍ଥୀ ତଥା ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼। ସେ ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିପକ୍ଷ ମାର୍ଗାରେଟ ଆଲ୍‌ଭାଙ୍କୁ ସେ ୭୨.୮ ପ୍ରତିଶତ ଭୋଟ ସହ  ହରାଇଛନ୍ତି। ନିର୍ବାଚନରେ ଧନକଡ଼ଙ୍କୁ ୫୨୮ ଭୋଟ୍ ମିଳିଥିବା ବେଳେ ମାର୍ଗାରେଟ ଆଲ୍‌ଭାଙ୍କୁ ମାତ୍ର ୧୮୨ ଭୋଟ୍ ମିଳିଥିଲା।

ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବିଜେପି କେନ୍ଦ୍ରରେ ସମସ୍ତ ମୁଖ୍ୟ ପଦରେ ନିଜର ଅବସ୍ଥିତି ଜାହିର କରିଛି। ତେବେ ଗତକାଲିର ନିର୍ବାଚନରେ ପଡ଼ିଥିବା ୭୨୫ ଭୋଟରୁ ଧନକଡ଼ ୭୨.୮ ପ୍ରତିଶତ ଭୋଟ ପାଇଛନ୍ତି। ଯାହା ବିଗତ ୨୫ ବର୍ଷରେ ସର୍ବାଧିକ ମାର୍ଜିନ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୯୯୭ ମସିହାରୁ ଏହା ସର୍ବାଧିକ ମାର୍ଜିନରେ ବିଜୟ ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ଖବର ପ୍ରକାଶ କରିଛି।

ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇିଥିବା ଉପରାଷ୍ଟ୍ରପତି ତାଲିକାରେ କେଆର୍‌ ନାରାୟଣନ ଆଗରେ ରହିଛନ୍ତି। ସେ ୧୯୯୨ରେ ହୋଇଥିବା ନିର୍ବାଚନରେ ୭୦୧ ଭୋଟ୍‌ରୁ ୭୦୦ ଭୋଟ୍ ପାଇଥିଲେ। ଏବେ ନବନିର୍ବାଚିତ ଉପରାଷ୍ଟ୍ରପତି ଧନକଡ଼ ଭେଙ୍କେୟା ନାଇଡୁଙ୍କ ଠାରୁ ବି ଭଲ ପ୍ରଦର୍ଶନ କରିଛନ୍ତି। ୨୦୧୭ରେ ନାଇଡୁଙ୍କୁ ଯେତିକି ଭୋଟ୍ ମିଳିଥିଲା ତା ଠାରୁ ୨ ପ୍ରତିଶତ ଅଧିକ ଭୋଟ ପାଇଛନ୍ତି ଧନକଡ଼। ତା ଛଡ଼ା ଧନକଡ଼ ପ୍ରଥମ ବିଜେପି ଉପରାଷ୍ଟ୍ରପତି ପାର୍ଥୀ ଯିଏ ସଂଘ ପରିବାରରୁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରି ନାହାନ୍ତି।      

ସୂଚନା ଥାଉକି ଉପରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସର ମହମ୍ମଦ ହମିଦ ଅନସାରୀ ୨୦୦୭ ନିର୍ବାଚନରେ ୬୦.୫୧ ପ୍ରତିଶତ ଭୋଟ୍‌ରେ ବିଜୟୀ ହୋଇଥିଲେ। ସେତେବେଳେ ୭୬୨ ଭୋଟ୍ ପଡ଼ିଥିଲା। ଅନ୍‌ସାରୀ ୨୦୧୭ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ହୋଇଥିଲେ। ଏହାପରେ ୨୦୧୭ରେ ନିର୍ବାଚନରେ ଭେଙ୍କେୟା ନାଇଡୁ  ୭୬୦ ଭୋଟରୁ ୬୭.୮୯ ପ୍ରତିଶତ ଭୋଟ ସହ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.