ଛାତିକୁ ପଥର କରି ଦେବେନ୍ଦ୍ରଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କଲୁ: ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରାକନ୍ତ ପାଟିଲ୍

Published By : Prameya-News7 Bureau | July 23, 2022 IST

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟ ବିଜେପିରେ ଅସନ୍ତୋଷ ସୃଷ୍ଟି ହୋଇପାରେ ବୋଲି କୁହାଯାଉଥିଲା। ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ତାଙ୍କର ଆନ୍ତରିକତା ଏକନାଥଙ୍କ ପ୍ରତି ନଥିଲା ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା। ଏବେ ତାହା ସତ ସତ ଲାଗୁଛି। ବିଳମ୍ବରେ ହେଉ ପଛରେ ରାଜ୍ୟ ବିଜେପିର ଯେ ଅସନ୍ତୋଷ ଅଛି ତାହା ପଦାକୁ ଆସିଛି।

ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଛାତିକୁ ପଥର କରି ଦଳ ଦେବେନ୍ଦ୍ରଙ୍କ ବଦଳରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି। ଅର୍ଥାତ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପିକୁ ଯେ କେତେ କଷ୍ଟ ହୋଇଛି ତାହା ତାଙ୍କ ବୟାନରୁ ସ୍ପଷ୍ଟ ଅନୁମେୟ। ତେବେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ପାଖରେ ଏକ ସ୍ଥାୟୀ ସରକାର ଗଠନ ହୋଇଛି ବୋଲି ମେସେଜ ପହଞ୍ଚାଇବା। ସେଇ ଉଦ୍ଦେଶ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି ବୋଲି ଶ୍ରୀ ପାଟିଲ୍ କହିଛନ୍ତି।

ତେବେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସେ ଖୁସି ନଥିଲେ ବୋଲି କହିଛନ୍ତି। ଏ ନେଇ ସେ କହିଛନ୍ତି “ ଆମେ ଜଣେ ଏମିତି ନେତାଙ୍କୁ ଆବଶ୍ୟକ କରୁଥିଲୁ ଯିଏ ଉଚିତ୍ ମେସେଜ୍ ଲୋକଙ୍କ ପାଖରେ ପହଞ୍ଚାଇପାରିବ ଓ ସ୍ଥିର ସରକାର ଦେଇପାରିବ। କେନ୍ଦ୍ର ନେତୃତ୍ୱ ଦେବେନ୍ଦ୍ର ଜୀ ପଛକୁ ହଟିବାକୁ ନିଷ୍ପତ୍ତି ନେଇ ଛାତିରେ ପଥର ରଖି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆମେ ଖୁସି ନଥିଲୁ କିନ୍ତୁ ନିଷ୍ପତ୍ତିକୁ ସ୍ୱୀକାର କରିଥିଲୁ।”ଦୁଃଖିତ ଥିଲେ ବି ଏହାକୁ ହଜମ କରି ଆଗକୁ ବଢ଼ିବାକୁ ପଡ଼ିଲା ବୋଲି ପାଟିଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.