ଚୀନ୍‌ରେ ଭୟଙ୍କର ରୂପ ନେଲାଣି କରୋନା ଭାଇରସ୍‌: ଗତ ୨୪ ଘଣ୍ଟାରେ ପୁଣି ଗଲାଣି ୭୩ ଜଣଙ୍କ ଜୀବନ...

Published By : Prameya-News7 Bureau | February 07, 2020 IST

ଚୀନ୍୭/୨: ଚୀନରେ କରୋନା ଭାଇରସ୍ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ପ୍ରାଣଘାତୀ ଭାଇରସ୍ ଆଉ ୭୩ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୬୩୮ରେ ପହଞ୍ଚି ଯାଇଛି । ଏହି ୬୩୮ ଜଣଙ୍କ ମଧ୍ୟରୁ କେବଳ ଚୀନରେ ୬୩୬ ଜଣଙ୍କ ଜୀବନ ଯାଇଛି । ଫିଲିପାଇନ୍ସ ଓ ହଂକଂରେ ମଧ୍ୟ ଜଣେ ଲେଖାଏଁ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ସେହିପରି କାରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଛି । କେବଳ ଚୀନ୍ ନୁହେଁ, ଜାପାନ, ଆମେରିକା, ହଂକଂ ଭଳି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଧୀରେ ଧୀରେ କରୋନା ଭାଇରସ୍ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ବ୍ୟାପିବା ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ରାଷ୍ଟ୍ରରେ କରୋନା ଆତଙ୍କ ଦେଖିବାକୁ ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଚାଇନିଜ୍ ଡାକ୍ତର ପ୍ରଥମେ ସମଗ୍ର ବିଶ୍ୱକୁ କରୋନା ଭାଇରସ୍ ବ୍ୟାପିବାର ସତର୍କ ସୂଚନା ଦେଇଥିଲେ, ରାତି ୨.୫୮ରେ ତାଙ୍କ ମୃତ୍ୟୁ ହୋଇଛି । ଡାକ୍ତର ଜଣଙ୍କ ଚୀନର ଉହାନରେ ଏକ ହସ୍ପିଟାଲରେ କାମ କରୁଥିଲେ । ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ଚୀନ୍ ପ୍ରଶାସନ ଉହାନ ସମେତ ଏକାଧିକ ସହରରେ କଟକଣା ଜାରି କରିଛନ୍ତି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ତଥାପି କରୋନା ଭାଇରସ୍ ଜଣଙ୍କ ଦେହରୁ ଆଉ ଜଣଙ୍କ ପାଖକୁ ବ୍ୟାପିବାରେ ଲାଗିଛି । ଯାହା ଚୀନ୍ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଚିନ୍ତା ବଢ଼ାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.