ସୋମବାରଠୁ ଶୀତ ଅଧିବେଶନ; ଡିସେମ୍ବର ୨୦ ଯାଏ କମ୍ପିବ ଗୃହ, ସରକାରଙ୍କୁ ଘେରିବାକୁ ପୁଳା ପୁଳା ପ୍ରସଂଗ

Published By : Prameya-News7 Bureau | November 25, 2024 IST

ନୂଆଦିଲ୍ଲୀ ୨୫/୧୧: ସୋମବାରଠୁ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୦ ତାରିଖ ଯାଏ କମ୍ପିବ ଗୃହ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ ହେବ । ଶୀତ ଅଧିବେଶନରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଚଳିତ ଅଧିବେଶନ ପାଇଁ ୱାକଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ସଂସଦରେ ଉପସ୍ଥାପିତ ହେବା ନେଇ ତାଲିକାଭୁକ୍ତ ହୋଇଛି ।

ସେଥିରୁ ୧୧ଟି ବିଲ୍‌ ଉପରେ ବିତର୍କ ଓ ୫ଟି ବିଲ୍‌ ଗୃହୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ବହୁଚର୍ଚ୍ଚିତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍‌ ତାଲିକାଭୁକ୍ତ ହୋଇନାହିଁ । ଶୀତ ଅଧିବେଶନ ଆରମ୍ଭରୁ କେରଳର ୱାୟନାଡ ଓ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ୨ ଜଣ ନୂଆ ସଦସ୍ୟଙ୍କୁ ବାଚସ୍ପତି  ଓମ୍‌ ବିର୍ଲା ଶପଥପାଠ କରାଇବେ । ୱାୟନାଡରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ନାନ୍ଦେଡରୁ ଚୌହାନ ରବୀନ୍ଦ୍ର ବସନ୍ତରାଓ ନିର୍ବାଚିତ ହୋଇଛନ୍ତି ।  

ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ନିକଟରେ ପୁଳା ପୁଳା ପ୍ରସଂଗ ରହିଛି । ଆଦାନୀ ଲାଞ୍ଚ ମାମଲା, ମଣିପୁର ହିଂସା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି । ସରକାରଙ୍କୁ ଘେରିବାକୁ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର   କରିଥିଲା ବେଳେ ତାର ମୁକାବିଲା ପାଇଁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି । ତେବେ ଶୀତ ଅଧିବେଶନକୁ ସୁରୁଖୁରୁ ଚଳାଇବାକୁ ରବିବାର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି   ବୈଠକରେ ୩୦ଟି ବିଭିନ୍ନ ରାଜନୈତିକ ଦଳର ୪୨ ନେତା ସାମିଲ ହୋଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହକାର୍ଯ୍ୟ   ସୁଚାରୁରୂପେ ଚଳାଇବା ଲାଗି ସବୁ ଦଳର ନେତାଙ୍କ ସହଯୋଗ  ଲୋଡିଥିଲେ । 

ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଆଦାନି ଲାଞ୍ଚ ମାମଲା ଉପରେ ସଂସଦରେ ଚର୍ଚ୍ଚା କରିବା ଲାଗି ଦାବି କରିଥିଲେ । ଅନ୍ୟତମ କଂଗ୍ରେସ ନେତା ପ୍ରମୋଦ ତିୱାରୀ  କହିଥିଲେ ଆଦାନି ଲାଞ୍ଚ ପ୍ରସଙ୍ଗ ଦେଶର ଅର୍ଥନୀତି ଓ ସୁରକ୍ଷା ସ୍ୱାର୍ଥ   ସହ ଜଡିତ। ତେଣୁ ଏହା ଉପରେ ତୁରନ୍ତ ଆଲୋଚନା ହେବା ଉଚିତ ବୋଲି କହିଥିଲେ । ସେହିଭଳି ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଲାଗି  ସେ ଦାବି କରିଥିଲେ । ଟିଡିପି ନେତା ଲବୁ ଶ୍ରୀକ୍ରିଷ୍ଣା ଦେବରାୟଲୁ  ପୋଲାଭରମ ପ୍ରକଳ୍ପ ସମେତ ଅନ୍ୟ ପ୍ରକଳ୍ପ ବହୁଦିନ ଧରି ପଡ଼ିରହିଛି ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ବିତର୍କ ଲାଗି ଦାବି କରିଥିଲେ ।  ସେହିଭଳି ଡିଏମ୍‌କେର ତିରୁଚି ଶିବା ୱାକଫ ସଂଶୋଧନ ବିଲ୍‌କୁ  ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ତେବେ ଗୃହର  ଆଇନ ଅନୁସାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ  ବୋଲି ରିଜିଜୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.