ନଭେମ୍ବର ୧୬ରୁ ବିଧାନସଭାର ଶୀତକାଳିନ ଅଧିବେଶନ : ପ୍ରସଙ୍ଗ ଅନେକ

Published By : Prameya-News7 Bureau | November 03, 2018 IST

ଭୁବନେଶ୍ବର ୩|୧୧:  ନଭେମ୍ବର ୧୬ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ଏହି ଅଧିବେଶନରେ ୨୩ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୧୫ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬ତାରିଖ ବିଧାନସଭା ଆରମ୍ଭ ହେବା ପରେ ୧୭ତାରିଖ ଏବଂ ୩୦ତାରିଖକୁ ପ୍ରାଇଭେଟ ମେମ୍ବର ଡେ ରଖାଯାଇଛି । ପୁଣି ଡିସେମ୍ବର ୭ ତାରିଖ ଏବଂ ଡିସେମ୍ବର ୧୬ତାରିଖକୁ ମଧ୍ୟ ପ୍ରାଇଭେଟ ମେମ୍ବର ଡେ ରକାଯାଇଛି । ବିଭିନ୍ନ ଦୃଷ୍ଟିକୋଣରୁ ବିଧାନସଭାର ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ଅଧିବେଶନ ୨୦୧୯ ନିର୍ବାଚନ ପୂର୍ବରୁ ସମ୍ଭବତଃ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ମଧ୍ୟ ହୋଇପାରେ । ଏହି ଅଧିବେଶନରେ ଅଭିଜିତ ଆୟାର ମିତ୍ର ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଏ ସଂପର୍କରେ ଗଠିତ ଗୃହ କମିଟି ଗୃହରେ ଉପସ୍ଥାପନ କରିବ । ସେହିଭଳି ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅଧିବେଶନ ବେଶ୍ ସରଗରମ ହେବ । ହାତୀ ମୃତ୍ୟୁ, ଚକଡା ପୋକ, ଶିକ୍ଷକ-ଅଧ୍ୟାପକଙ୍କ ସମସ୍ୟା, ତିତଲି ବାତ୍ୟାରେ ମୃତାହତ ଆଦି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିପାରନ୍ତି । ସେହିଭଳି ଗତ ବିଧାନସଭା ଅଧିବେଶନରେ ଉଦ୍ୟାନ, କୃଷି, ସମବାୟ ବିଭାଗର ଦୁର୍ନୀତି ସଂପର୍କରେ ବିଧାୟକ ଡକ୍ଟର ଦାମଦୋର ରାଉତ ଉଠାଇଥିବା ପ୍ରସଙ୍ଗ ଏଥର ମଧ୍ୟ ଜୋର ଧରିପାରେ । ବାତ୍ୟା ବନ୍ୟା ଭଳି ପ୍ରାକୃତିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମଧ୍ୟ ଶାସକ ଦଳ ବିରୋଧୀ ବିଜେପିକୁ ଜବତ କରିବାକୁ ଚେଷ୍ଟା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.