ଆଜିଠୁ ସାମାନ୍ୟ କମିବ ଶୀତ, ବଢିବ ତାପମାତ୍ରା

Published By : Prameya-News7 Bureau | December 26, 2020 IST

ଭୁବନେଶ୍ୱର,୨୬/୧୨: ରାଜ୍ୟରେ ଶନିବାରଠାରୁ ତାପମାତ୍ରା ବଢ଼ିବ । ଫଳରେ ଥଣ୍ଡାର ପ୍ରକୋପ ସାମାନ୍ୟ କମିବ । ଶୁକ୍ରବାର ମଧ୍ୟ ରାଜ୍ୟରେ ଥଣ୍ଡା ସାମାନ୍ୟ କମିଥିଲା। ତଥାପି ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରାଜ୍ୟର ୭ଟି ସହରର ସର୍ବନିମ୍ନ ତାପମାତ୍ରା ଥିଲା । କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରହିଥିଲା । ତେବେ ତୁଳନାରେ ଉଭୟ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ଗୁରୁବାର ଅପେକ୍ଷା ବଢ଼ିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏତତ୍ ବ୍ୟତୀତ, କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକକହିଛନ୍ତି ଯେ, ଶନିବାର ରାତିରୁ ଥଣ୍ଡା କମିବ । ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର ପବନ ବୋହୁଥିବାରୁ ଥଣ୍ଡାର ପ୍ରକୋପ ଅଧିକ ରହିଥିଲା । କିନ୍ତୁ ଗୁରୁଚାପ ବଳୟର ସ୍ଥାନ ପରିବର୍ତ୍ତନ ହେତୁ ଶନିବାର ରାତିରୁ ଥଣ୍ଡା ପବନ ଆସିବାରେ ବାଧା ହେବା ସହ ତାପମାତ୍ରା ବଢିବ । ଆସନ୍ତା ୩ଦିନ ଭିତରେ ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି କ୍ରମଶଃ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୨୬ ରାତିରୁ ୨୮ ତାରିଖ ରାତି ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଏପରିକି ଜାନୁଆରୀ ୨ ତାରିଖରେ ପୁଣି ତାପମାତ୍ରା ବଢ଼ିବା ଯୋଗୁଁ ଥଣ୍ଡା ଆହୁରି କମିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଆହୁରି ମଧ୍ୟ, ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ଜାରି ରହିବ । କାଁ ଭାଁ କିଛି ସ୍ଥାନରେ .୫ରୁ .୧ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ । ୩୦ ତାରିଖରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେଣୁ ଥଣ୍ଡା କମିବ । ସେହି ସମୟରେ ରାଜ୍ୟରେ କୁହୁଡି ଦେଖାଦେବ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.